Unknown

 

 

 

 

 

 

 

 

 

 

 

ଅଜାଙ୍କ କାହାଣୀ

(ଦ୍ୱିତୀୟ ଭାଗ)

ସତ୍ୟାନନ୍ଦ ମହାନ୍ତି

 

ସୂଚୀପତ୍ର

 

୧.

ବୁଢ଼ୀ ମାଉସୀ

୨.

ଗୋବର ଗାଡ଼ିଆରେ ପଦ୍ମ

୩.

ଏକା ମାଧିଆ ବାରଶ ପଳ

୪.

କପାଳ ଫାଟିଲେ ଧରମ ଠିଆ

୫.

ଛୁଇଁଲେ ସୁନା

୬.

କାଳ ପଶିଲା ଲଟାରେ

୭.

ଚୋର ଘରେ ଆଲୁଅ

୮.

ଛୋଟ ମୁହଁରେ ବଡ଼ କଥା

Image

 

ବୁଢ଼ୀ ମାଉସୀ

 

ସେ କାଳର ଲୋକ ବୋଲି ସିନା, ନଇଲେ କୋଉ ଦିନରୁ ମାଟିରେ ମିଶି ସାରନ୍ତାଣି । ଷାଠିଏ ବରଷର ବୁଢ଼ୀ, ନାକ ତଳେ ଘୁଷୁରିବାକୁ ବସିଲାଣି; ତଥାପି ନସର ପସର ହୋଇ ପାଇଟି ହାତରୁ ବନ୍ଦ ନାହିଁ । କାମ ପାଇଟିରେ ଟୋକାଟୋକୀଏ ମୁଣ୍ଡ ଟେକି ଠିଆ ହୋଇପାରନ୍ତି ନାହିଁ । କହନ୍ତି ପରା–

 

‘‘ଯାହା ଘରେ ନାହିଁ ବୁଢ଼ୀ

ତା ଘର ଯାଏ ଉଜୁଡ଼ି ।’’

 

ବୁଢ଼ୀର କେହି ବୋଲି କେହି ନାହିଁ । ନିରିମାଖୀଟିଏ ! ମାଗି ଯାଚି, ଘସି ପତର ସାଉଁଟି ଦିନ କାଟୁଥାଏ । କାହାରି ହାରିଗୁହାରିରେ ନ ଥାଏ । ବେଶ୍‍ ମନସୁଖରେ ଚଳେ ।

 

‘‘ଟଙ୍କା ସାଇତାର ଛାତି ଚମକ

ଘସିସାଉଁଟିର ନ ଥାଏ ଦକ ।’’

 

ବୁଢ଼ୀଟିକୁ କିଏ ଯେ ଭଲ ନ ପାଏ, ଏମିତି ନାହିଁ । ଗାଆଁଟାଯାକ ଡାକନ୍ତି ‘‘ବୁଢ଼ୀ ମାଉସୀ’’ ବୋଲି । ପାଚିଲା ତାଳ, କେତେବେଳେ ଯେ ବୁଢ଼ୀର ରଥ ଚଟ୍‍କିନି ରହିଯିବ, କିଏ କହିବ ? ହେଲେ ସଭିଙ୍କର ଆଖି ବୁଢ଼ୀ ମାଉସୀ ଉପରେ । ବେଳେ ଦେହରେ ମୁଣ୍ଡରେ ପଡ଼ିଲେ ସାନରୁ ବଡ଼ଯାଏ ସଭିଏଁ ଖବର ନିଅନ୍ତି, ପାଣି ତୋରାଣି ମୁହଁରେ ଦିଅନ୍ତି । ଗାଁ ପିଲାମାନେ ସବୁବେଳେ ବୁଢ଼ୀ ମାଉସୀ ସାଙ୍ଗରେ କେତେ ଟାହି ଟାପରା ଖେଳନ୍ତି ।

 

ବୁଢ଼ୀ ମାଉସୀଟି କାହାରି କଥାକୁ ଅଙ୍ଗୁଟୁ ବୁଝେ ନାହିଁ, ସବୁ ହସରେ ଉଡ଼େଇଦିଏ । ପାକୁଆ ପାଟିରେ ପିଲାମାନଙ୍କୁ ବେଳେ ବେଳେ ଟାପରା କଥାରେ କହେ–

 

‘‘ଟୋକା ଟାକଳା ତଟୁ ଘୋଡ଼ା

ଖାନ୍ତି ବହୁତ କାମ ଥୋଡ଼ା ।’’

 

ପିଲାଦିନେ ବି ବୁଢ଼ୀ କଥାରେ ଆନନ୍ଦରେ ନାଚିଉଠନ୍ତି ।

 

ଉଦୁଉଦିଆ ଖରାବେଳ । ଝାଞ୍ଜି ବାଡ଼ଉଛି ସୁ ସୁ ! ବୁଢ଼ୀ ମାଉସୀ ଗରମରେ ଘରେ ରହି ବିତିବିତା ହୋଇଯାଉଛି । ଘର ବୋଲି ଚାଳିଖଣ୍ଡିକ । ଚାରିପାଖରେ ବତା ବାଉଁଶ ହାତୀଦାନ୍ତ ପରି ପଦାକୁ ବାହାରି ପଡ଼ିଛି । ଘର ଭିତରେ ଚାଖଣ୍ଡେ ଜାଗା । ସେଇଥିରେ ହାଣ୍ଡିକୁଣ୍ଢେଇ, ଡାଲା ଟୋକେଇ, ଚକି ଶିଳ, ଢିଙ୍କି ସବୁ । ଟିକିଏ ଫର୍ଚ୍ଚା ହୋଇ ଶୋଇବାକୁ ଘରେ ରାହା ନାହିଁ । ଗରମ ସମ୍ଭାଳି ନ ପାରି ଟୋକେଇଟାଏ, ଝାଡ଼ୁ ମୁଠାଏ ଧରି ବୁଢ଼ୀ ମାଉସୀ ବାହାରିଲା ଗାଁମୁଣ୍ଡ ଆମ୍ୱତୋଟାକୁ ପତର ସାଉଁଟି ।

 

ଖୁବ୍‍ ବଡ଼ ଆମ୍ବ ତୋଟାଟାଏ । ଖରା ତେଜ ମୋଟେ ନାହିଁ । ସୁଲୁସୁଲିଆ ପବନ; ଭାରି ଥଣ୍ଡା । ବୁଢ଼ୀ ମାଉସୀ ପତର ସାଉଁଟିବ କ’ଣ, ଆମ୍ବଗଛଟି ମୂଳରେ ଟିକିଏ ବସିପଡ଼ିଲା । ଚିନ୍ତା ନା ଦକ ? ଘରେ ତ ବିଲେଇ ଛୁଆଟିଏ ସୁଦ୍ଧା ନାହିଁ ଯେ ମନ ଛକପକ ହେବ ? କୋଉ ବା ସମ୍ପତ୍ତି ମାଡ଼ିଯାଉଛି ଯେ, ଚୋରକୁ ଭୟ କରିବ ! ସାତ ଦିନ ସାତ ରାତି ଘର ମୁକୁଳା ପଡ଼ିଥିଲେ ସୁଦ୍ଧା କେହି ଆଡ଼ଆଖିରେ ଚାହିଁବ ନାହିଁ ।

 

ବୁଢ଼ୀ ମାଉସୀକୁ ଅଚିନ୍ତା ନିଦ ମାଡ଼ିଆସିଲା । ଆମ୍ବଗଛମୂଳକୁ ମୁଣ୍ଡ ରଖି ଶୋଇପଡ଼ିଲା–ଭାରି ଗହନ ନିଦ !

 

ସୂର୍ଯ୍ୟଦେବତା ମା କୋଳକୁ ଯିବାକୁ ବସିଲେ । ନିଆଶ୍ରୀ ବୁଢ଼ୀ ମାଉସୀଟି ନିଶ୍ଚିନ୍ତରେ ଶୋଇ ରହିଛି । ବୁଢ଼ୀର ହୀନକପାଳକୁ ପାଖରେ ଗାତଟିଏ ଥିଲା । ସାପଟାଏ କେମିତି ବାହାରି ବୁଢ଼ୀର ଆଖିପତା ଉପରକୁ ଚୋଟଟାଏ ମାରିଦେଲା । ଧଡ଼ପଡ଼ ହୋଇ ବୁଢ଼ୀ ଉଠି ବସିଲା । ସାପଟା ଛୁ ! ଝରଝର ହୋଇ ରକତ ବୋହି ମୁହଁଯାକ ହୋଇଗଲା । ରୁଗୁ ରୁଗୁ ହୋଇ ମୁଣ୍ଡ ପୋଡ଼ି ଉଠିଲା । ବୁଢ଼ୀ ହେଲେ କ’ଣ ହେବ, ଧଡ଼ ଭାରି ଟାଣ । ଝଟକରି ଉଠି ଧାଇଁଲା ଘରକୁ । ଡେରି କଲେ ବାଟରେ ଅପନ୍ତରାରେ ପଡ଼ି ମରିବ ସିନା । ସେତେବେଳକୁ ମୁହଁସଞ୍ଜ ହୋଇଗଲାଣି-। ମାଛିଅନ୍ଧାର ମାଡ଼ି ଆସୁଛି । ଧାଇଁ ଧାଇଁ ବୁଢ଼ୀ ଗାଁରେ ପହଞ୍ଚିଲା । ‘‘ଧାଇଁପଡ଼ ସାପ କାମୁଡ଼ିଲା’’ ବୋଲି ପାଟିକରି ଡାକଟାଏ ମାରିଦେଇ ଆପଣା ଘରକୁ ଗଲା ।

 

ଦଇବ ଯୋଗ ତ ! ବୁଢ଼ୀ ବିଚରାଟି କଲବଲ ହୋଇ ଚାଲି ଭିତରକୁ ପଶିଯିବ କ’ଣ, ଯେଉଁଠି ସାପ କାମୁଡ଼ିଥିଲା, ଠିକ୍‍ ସେହି ଜାଗାରେ ବତାଫାଳିଆଟାଏ ଚାଳରୁ ଖୁବ୍‍ ଜୋରରେ ବାଜିଗଲା । ରକତ ଖୁବ୍‍ ଜୋରରେ ବୋହିଲା । ବିପଦ ଉପରେ ବିପଦ !

 

‘‘ସମ୍ପତ୍ତି ବଢ଼ିଲେ ଦିନ କେଇଟା,

ବିପତ୍ତି ପଡ଼ିଲେ ଗୋଟାକୁ ଗୋଟା ।’’

 

ବୁଢ଼ୀର ମୁଣ୍ଡ ବୁଲେଇ ଦେଲା । ଝଟ୍‍କରି ତାଟି ଆଡ଼େଇ ଦେଇ ଘର ଭିତରକୁ ପଶିଗଲା । ସବୁ ଅନ୍ଧାର ଦିଶୁଥାଏ । କୁଆଡ଼ୁ କିଛି ଉପାୟ ନ ଦେଖି ଢିଙ୍କିଟା ଉପରକୁ ଗୋଡ଼ ଦୁଇଟା ଲମ୍ୱେଇ ଦେଇ ତଳକୁ ମୁଣ୍ଡ ରଖି ଶୋଇ ପଡ଼ିଲା । ବୁଢ଼ୀର ଚେତା ନାହିଁ । ମୁଣ୍ଡରୁ ଧାର ଧାର ରକତ ବୋହି ତଳେ ପଡ଼ୁଛି ।

 

ଗାଁ ଲୋକେ ଧାଇଁ ଆସିଲେ । ବୁଢ଼ୀ ବେହୋସ, ମଲା ଗଲା ପରି ! କିଏ କହୁଛି, ‘‘ଏତେ ଦିନକରେ ବୁଢ଼ୀର ଆୟୁଷ ପୂରିଲା । କିଏ କହୁଛି, ‘‘ବୁଢ଼ୀଟି ମଲା ନାହିଁ ଯେ ତ୍ରାହି ପାହିଗଲା ।’’ କିଏ କହୁଛି, ‘‘ଲୋକ ଡାକ, ଉଠେଇ ନେବାର ବନ୍ଦୋବସ୍ତ କରାଯିବ । ଡେରି କାହିଁକି-।’’ ଇତ୍ୟାଦି ବୁଢ଼ୀକୁ ଭଲ କରିବାର ଉପାୟ ହେଲେ କାହାରି ପାଟିରୁ ବାହାରୁ ନାହିଁ-

 

ଅନ୍ଧାର ହେଇଗଲାଣି । ସ୍କୁଲ ଟୋକାଏ ଖବର ପାଇ ହାଜର । ଦେଖିଲେ, ଭାରି ଚହଳ ଲାଗିଛି । ବୁଢ଼ୀଟି ସେମତି ପଡ଼ି ରହିଛି । ଚାରିଜଣ ପିଲା ଧାଇଁଲେ ଡାକ୍ତରଖାନାକୁ । ବାକି ପିଲାମାନେ ଘଷା, ଆଉଁଷା, ବିଞ୍ଚାବିଞ୍ଛି କରି ବସିଲେ । ବୁଢ଼ୀକୁ ଟେକି ଡାକ୍ତରଖାନାକୁ ନେବାର ଯୁ ନାହିଁ । କେତେବେଳେ କୋଉ କଥା ? ପିଲାମାନଙ୍କର ସେ ସାହସ ହେଲା ନାହିଁ ।

 

ମାଇଲିଏ ବାଟରେ ଡାକ୍ତରଖାନା । ପିଲାମାନେ ପଡ଼ିଉଠି ଦୌଡ଼ି ଦୌଡ଼ି ସେହିକ୍ଷଣିକା ସେଠି ପହଞ୍ଚିଗଲେ । ବୁଢ଼ୀର ହାଲ ସବୁ ଡାକ୍ତରବାବୁଙ୍କୁ କହିଲେ । ଡାକ୍ତରବାବୁ କହିଲେ, ‘‘ବୁଢ଼ୀର ଆଶା ଛାଡ଼ । ସେ ତ ପ୍ରାୟ ମରି ସାରିଥିବ । ମୁଣ୍ଡରେ ସାପ କାମୁଡ଼ିଛି, ଏତେବେଳ ହେଲାଣି, ଆଉ କ’ଣ ବଞ୍ଚିଥିବ ? ବିଷ ହଠାତ୍‍ ତାଳୁକୁ ଉଠିଥିବ । ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ନେଇ ଆସିଥିଲେ ବା ଯାହା ଉପାୟ କରାଯାଇଥାନ୍ତା ।’’

 

ପିଲାଙ୍କ କଥାକୁ ଗୋଡ଼ରେ ଘଷି ଦେଇ ଡାକ୍ତରବାବୁ ଚୁପ୍‍ ହେଲେ । କିନ୍ତୁ ପିଲାମାନେ କାନ୍ଦି ବୋବେଇ ଗୋଡ଼ତଳେ ପଢ଼ି ବୁଢ଼ୀକୁ ଦେଖିଯିବା ପାଇଁ ଡାକ୍ତରବାବୁଙ୍କୁ ଅନୁରୋଧ କଲେ । ପିଲାମାନଙ୍କର ବିକଳ ଦେଖି ଡାକ୍ତରବାବୁଙ୍କ ମନ ତରଳି ଗଲା । ପିଲାମାନଙ୍କୁ ଆଗରେ ଦୌଡ଼େଇ ଦେଇ ପଛରେ ସାଇକଲ ଧରି ସେ ବାହାରିଲେ ।
 

ଘଡ଼ିକରେ ପିଲାମାନେ ଓ ଡାକ୍ତରବାବୁ ପହଞ୍ଚିଗଲେ । ବୁଢ଼ୀର ଅବସ୍ଥା ଯେମିତି ସେମିତି । ସଭିଏଁ ଆଶା ଛାଡ଼ି ସାରିଛନ୍ତି । ଶ୍ମଶାନକୁ ନେବାର ଆୟୋଜନ ଚାଲିଛି । ଡାକ୍ତରବାବୁ ପାଖକୁ ଆସି ଭଲକରି ଦେଖିଲେ, ରକତ ଯଥେଷ୍ଟ ବୋହି ଗଲାଣି । କ’ଣ ଟିକିଏ ଭାବି ବସିଲେ । ଟିକକ ପରେ ବୁଢ଼ୀ ପାଟିରେ କ’ଣ ଔଷଧ ଲଗେଇ ଦେଲେ । ଉଠେଇ ବସେଇ ମୁଣ୍ଡ ଧୋଇ ପକେଇଲେ । ଚାହୁଁ ଚାହୁଁ ବୁଢ଼ୀର ଟିକିଏ ହୋସ୍‍ ହେଲା, ନାଡ଼ି ଚାଲିଲା । କ୍ରମେ ଆଖି ଫିଟେଇ ସେ ଅନେଇଲା । ସେ ପୁରରୁ ଲେଉଟିବା କଥା !

 

ସଭିଏଁ ଭାରି ଆଶ୍ଚର୍ଯ୍ୟ ହୋଇଗଲେ । ସେହି କ୍ଷଣିକା ବୁଢ଼ୀ କଥାବାର୍ତ୍ତା କଲା । କ’ଣ ହେଉଛି ସବୁ କହିଲା । ଡାକ୍ତରବାବୁ ଆଉ କ’ଣ ଔଷଧ ଖାଇବାକୁ ଦେଲେ । ବିଛଣା ପାରି ତାକୁ ଶୋଇ ପକେଇଲେ । କହିଲେ, ‘‘ନିଦ ଭାଙ୍ଗିଲେ ବୁଢ଼ୀକୁ ଯାହା ଖାଇବାକୁ ଦେବ । ଏଣିକି ଆଉ ଉପାୟ ନାହିଁ । ସାପର ବିଷ ଏକାବେଳକେ ବାହାରି ଯାଇଛି ।’’

 

ଲୋକେ ଭାରି ଖୁସି ହେଲେ । ପିଲାମାନଙ୍କର ମନ ଲାଗିଛି, କାକୁତି ମିନତି ହୋଇ ଡାକ୍ତରବାବୁଙ୍କୁ ପଚାରିଲେ, ‘‘ବୁଢ଼ୀ ତ ମରିଯାଇଥାନ୍ତା, ଏପରି ଅବସ୍ଥାରେ ବିନା ଔଷଧରେ ଏତେବେଳ ପଡ଼ି ରହିଲା–କିପରି ବିଷ ଝଡ଼ିଗଲା ?’’ ଡାକ୍ତରବାବୁ କହିଲେ, ‘‘ସତେ ବଡ଼ ଅଦ୍ଭୁତ କଥା । ବୁଢ଼ୀ କ’ଣ ବଞ୍ଚିଥାନ୍ତା ? ଘଣ୍ଟାଭିତରେ ମରିବାର କଥା; ହେଲେ ତା’ର କେହି ନାହିଁ, ଦଇବ ଠିଆ ହେଲା । ଅରକ୍ଷିତକୁ ଦଇବ ସାହା କଥାଟା କ’ଣ କି, ବୁଢ଼ୀର ସାପକାମୁଡ଼ା ଜାଗାରେ ବାଉଁଶ ଖେଣ୍ଟାଟା ବାଜି ବେଶି ଘା ହୋଇ ରକତ ଗୁଡ଼ାଏ ବୋହିଗଲା, ସେହିଥିରେ ବିଷ ଝଡ଼ିଗଲା । ପୁଣି ଆଉ ଗୋଟିଏ ଆଶ୍ଚର୍ଯ୍ୟ କଥା–ଖଣ୍ଡିଆ ହେଲା ପରେ ସେ ଯୋଉ ଢିଙ୍କି ଉପରକୁ ଗୋଡ଼, ଆଉ ତଳକୁ ମୁଣ୍ଡ ରଖି ଶୋଇପଡ଼ିଲା, ସେଟା ତା’ର ବେଶି ଉପକାର କଲା; ନ ହେଲେ ହଠାତ୍‍ ବିଷ ତାଳୁକୁ ଉଠି ମାରି ଦେଇଥାନ୍ତା । ସେତେବେଳକୁ ବାହାରି ବଳ କଳ ପାଇ ନ ଥାନ୍ତା । ସାପ କାମୁଡ଼ା ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନେଇଥିଲେ ବି ସୁଦ୍ଧା ଆମ୍ଭେମାନେ କାମୁଡ଼ା ଘାଆକୁ ଚିରି ରକତ ବାହାର କରିଥାନ୍ତୁ ଓ ଗୋଡ଼କୁ ଉଚ୍ଚ ଜାଗାରେ ରଖାଇ ଶୁଆଇ ଥାନ୍ତୁ, ସେହିଥିରେ ଯାହା ହୋଇଥାନ୍ତା ।’’

 

ଦରିଦ୍ର, ନିଆଶ୍ରୀର କେହି ନଥିଲେ କ’ଣ ହେବ, ଭଗବାନ ତାଙ୍କରି ପାଇଁ ସବୁ ବନ୍ଦୋବସ୍ତ କରିଦିଅନ୍ତି ।

 

‘‘ହରି ରଖେ ତ ମାରେ କୋନ୍‍, ହରି ମାରେ ତ ରଖେ କୋନ୍‍ ।’’

Image

 

ଗୋବର ଗାଡ଼ିଆରେ ପଦ୍ମ

 

ଏକା ନାହି ଦୁଇ ଖଣ୍ଡ; ହେଲେ ବାପ ଥାଉଁ ଥାଉଁ ଅଲଗା ଅଲଗା–ଯେଝା କରମ ଘେନି ଯେଝାଏ ରହିଲେ । ବାପ ମା ଜନମ ଦେଇଛନ୍ତି ବୋଲି କରମ ତ ଦେଇ ନାହାନ୍ତି । କଥାରେ କହନ୍ତି ପରା–

 

‘‘ଯେଣେ ଇଚ୍ଛା ତେଣେ ଯା, କର୍ମ ଘେନି ବୁଲୁ ଥା ।’’

 

ପାଠଶାଠ ପଢ଼ି, ପଇସା କମେଇ ବଡ଼ଭାଇ ବାବୁ ହୋଇଛନ୍ତି । ମୁକୁନ୍ଦ ବାବୁଙ୍କ ନାଁ ଚାରିଆଡ଼େ ପଡ଼ୁଛି । ଆଉ ସାନ ଭାଇଟି ମୂର୍ଖ ବୋଲି ଗରିବ । ସଭିଏଁ ଡାକନ୍ତି, ଗୋବିନ୍ଦା, ଗୋବିନ୍ଦା । ବାବୁଙ୍କର ଭାଇ ବୋଲି ତ କେହି ଆଉ ବାବୁ ଡାକିବେ ନାହିଁ । ବାବୁଭଳିଆ କାମ ଦେଖିଲେ ଲୋକେ ସିନା ବାବୁ କହିବେ ?

 

‘‘କାହା ସଙ୍ଗେ କିଏ ସରି ହେଉଛି, ହଂସ ସଙ୍ଗେ ବଗ ପାଣି ପିଉଛି ।’’

 

ମୁକୁନ୍ଦ ବାବୁ ପାଞ୍ଚଟାରେ ଜଣେ ହୋଇ ଚଳାଚଳ ହେଉଥାନ୍ତି ଆଉ ତାଙ୍କର ସାନ ଭାଇ ଗୋବିନ୍ଦାଟି କାହୁଁ ଅଇଲା ପରି ପଡ଼ିଥାଏ । ଗୋବିନ୍ଦାଟା ମୋଟେ ମୁକୁନ୍ଦ ବାବୁଙ୍କ ଦେହରେ ଗଲାନାହିଁ । ଏଥିରୁ ଗୋଟାଏ କାହିଁକି ଲଡ଼ଲଡ଼ ହେଉଛି ? ବାପ ଅଜା ସମ୍ପତ୍ତି କଡ଼ାକ୍ରାନ୍ତି କରି ବାଣ୍ଟ ହେଲା । ମୁକୁନ୍ଦ ବାବୁ ବଡ଼ ବୋଲି ଅସଲ ଅସଲ ସମ୍ପତ୍ତି ଜ୍ୟେଷ୍ଠା ଭାଗ କାଢ଼ିନେଇ ବାକିତକ ଭାଗ କରି ଦେଇଛନ୍ତି । ମୁକୁନ୍ଦ ବାବୁଙ୍କର ଗୋବିନ୍ଦା ସହିତ କିଛି ସମ୍ୱନ୍ଧ ନାହିଁ । ରହିବ ବା କାହିଁକି-? ସେ କହନ୍ତି, ‘‘ଯେଝା କରମ ଯେଝା ଭୁଞ୍ଜିବେ ।’’

 

‘‘ଯେତେ ଭାଇ ସେତେ ଘର, ଯେତେ କନ୍ୟା ସେତେ ବର ।’’

 

ମୁକୁନ୍ଦ ବାବୁ ଭାରୀ ପଇସାବାଲା–ହେଲେ ଲୋଭ ଭାରୀ । ସାଇପଡ଼ିଶାରେ ପଇସାଟା, ଚାଉଳ ମାଣେ, ରବି ଗଣ୍ଡାଏ ନଥିଲା ଥିଲା ବେଳେ ଭୋକରେ ଶୋଷରେ ଦେଇ ବଖତବେଳେ ଅସଲ ଅସଲ ଜମିଖଣ୍ଡିକ, ଡିହ ଚେନାକ ହାତ କରନ୍ତି । ମୁକୁନ୍ଦ ବାବୁଙ୍କର ଏଇଟା ହେଉଛି, ପ୍ରଧାନ କାମ । କେଇଟା ଦିନରେ ଗାଁଟାଯାକରେ, କଳା କନା ବୁଲେଇ ସାରିଲେଣି ସେ । ଏବେ ଆଖି ପଡ଼ିଲା ଭାଇଟାଠିଁ । ଗୋବିନ୍ଦ ବିଚରାଟି କାହାରି ଭଲରେ ମନ୍ଦରେ ନ ଥାଏ । ମୁକୁନ୍ଦ ବାବୁଙ୍କ ଗୁଣ ଜାଣି କେବେହେଲେ ଭାଇ ଦୁଆରେ ହାତ ପତାଏ ନାହିଁ । ପର ଗାଁରେ, ବନ୍ଧୁବାନ୍ଧବଙ୍କ ଘରେ ପଛେ ଗୋଡ଼ ଭାଙ୍ଗି ଠିଆ ହୋଇ ଦିପଇସା ଆଣିବ, ଭାଇ ଦୁଆର ମାଡ଼େ ନାହିଁ । ପଇସା ମୁହଁ–କେତେବେଳେ କ’ଣ କହିଦେବ ।

 

‘‘ଆଲୋ ସଖୀ, ଆପଣା ମହତ ଆପେ ରଖି ।’’

 

ହାତେ ମାପି ଚାଖଣ୍ଡେ ଚାଲୁଥିଲେ ସବୁ ଭଲ । ଦି ପଇସା କୋଉଠୁ ଭେଇଲେ ତ ପେଟକୁ ଖାଏ, ନଇଲେ କରମ ଆଦରି ପଡ଼ିଥାଏ । ସେଥିପାଇଁ ମନରେ କିଛି ଦୁଃଖ କରେ ନାହିଁ । ଆପଣା କଲା କରମ ତ, ବଳ କାହାର ।

 

‘‘କର୍ମ୍ମ ଆଦରି ପଡ଼ିଥାଏ

ଅରଣ୍ୟେ ଅଜଗର ପ୍ରାଏ ।’’

 

ମୁକୁନ୍ଦ ବାବୁଙ୍କର ଇଚ୍ଛା, ବାପ ଅଜା ସମ୍ପତ୍ତିରୁ ଯାହା କିଛି ଭାଗ ଗୋବିନ୍ଦା ନେଇଛି, ସେତିକି କୌଣସିମତେ ହାତ କରି ନେବେ । ହେଲେ ଗୋବିନ୍ଦା ସେ ଖାଲରେ ପଡ଼େ ନାହିଁ କି ଭାଇ ସାଙ୍ଗରେ କେବେହେଲେ ଦେଖା କରେ ନାହିଁ । ତାଙ୍କର ମତିଗତି ଠଉରେଇ ବାହାରେ ବାହାରେ ଚଳୁଥାଏ । ଭାଇ ତ ଭଗାରି ହୋଇଛି ! କଥାରେ କହନ୍ତି ପରା—

 

‘‘ଭଗାରି କାହିଁ—ନା, ମାଆ ପେଟରେ ।’’

 

ମୁକୁନ୍ଦ ବାବୁ ଯେତେ ଉପାୟ କଲେ ଗୋବିନ୍ଦା ଆଉ ଧରାଛୁଆଁ ନ ଦିଏ । ଭାରୀ ରାଗ-! ଦାଉ ପଡ଼ିଲେ ଗୋବିନ୍ଦାକୁ ଜୀବନରୁ ମାରିଦେଇ ହୁଅନ୍ତା । ହେଲେ ଲୋକନିନ୍ଦାକୁ ଡର ମାଡ଼ୁଛି-। ଲୋକେ କହିବେ କଅଣ ? ଭାବି ଭାବି ମୁକୁନ୍ଦ ବାବୁ ଠିକ୍‍ କଲେ ଦେବତା ଆଶ୍ରା ନେବାକୁ ହେବ-। ଗ୍ରାମ ଦେବତୀ ଠାକୁରାଣୀଙ୍କୁ ପୂଜା କଲେ ତ ଗୋଟାଏ ଝାଡ଼ାକୁ ଗୋବିନ୍ଦା ନାହିଁ-। ବେଶ୍‍ ଉପାୟ-। ଠାକୁରାଣୀ ତ ପ୍ରତ୍ୟକ୍ଷ ଦେବୀ । ଭୋଗରାଗ ଦେଇ ଯିଏ ଯାହା ମାନସିକ କରୁଛି, ଫଳ ସାଙ୍ଗେ ସାଙ୍ଗେ । କଳିଯୁଗରେ ପରା ଦେବତା ଭୋଗରେ ବଶ । ଭଲକରି ଭୋଗ କରିଦେଲେ ତ କାର୍ଯ୍ୟ ସିଦ୍ଧି । କୋଉ ଏବେ ପଇସାର ଅଭାବ ଅଛି କି ? ଦେବତା କହିଲା ପରା, ‘‘ଆଗ ଦେ’–ପଛେ ବତା ।’’

 

‘‘ଦେବତା ବଶ ଭୋଗରେ,

ମଣିଷ ବଶ ସୋଗରେ ।’’

 

ବୈରାଗୀ ଆଠ ନଅ ବରଷର ପିଲାଟାଏ । ମୁକୁନ୍ଦ ବାବୁଙ୍କର ଗୋଟିଏ ବୋଲି ପୁଅ, ଗାଁ ସ୍କୁଲରେ ପାଠ ପଢ଼େ । ବୁଦ୍ଧି ତା’ର ଭାରୀ ସରସ; ଶାନ୍ତ ଯେମିତି, ପରପାଇଁ ମନ ସେମିତି । ଭିତରେ ଭିତରେ ମୁକୁନ୍ଦ ବାବୁଙ୍କର ମତଲବଟା ବେଶ୍‍ ବୁଝି ପାରିଲା । ହେଲେ ବଳ କାହିଁ ? ଖାଲି କେତେବେଳେ କ’ଣ ହେଉଛି, ଜଗିବା କଥା । ପାଟି ଫିଟାଇବାର ତ ଯୁ ନାହିଁ । ବାପ—ଗୁରୁଜନ, ସେଥିରେ ପୁଣି ପାଠୁଆ । ତାଙ୍କ କଥାରେ ପାଟି ଫିଟେଇବାକୁ ବୈରାଗୀ କିଏ ।

 

ଆଷାଢ଼ ମାସ । ମେଘ ଝପ ଝପ ହେଉଥାଏ । ଚାରିଆଡ଼େ ହଇଜା ଗୋଳ ଭାରୀ । ଗାଁରେ କୋକୁଆ ଭୟ । ମୁକୁନ୍ଦ ବାବୁ ତ ବଡ଼ଲୋକ । ତାଙ୍କର ଡର କ’ଣ, ଭୟ କ’ଣ ? ଦିଅଁ ଦେବତାମାନେ ତ ସବୁବେଳେ ସନ୍ତୁଷ୍ଟ । ମୁକୁନ୍ଦ ବାବୁଙ୍କ ବରାଦ ହେଲା, ଭଲ ଭୋଗ ତିଆରି ହେବ-। ନିଜେ ଯାଇ ଗ୍ରାମ ଦେବତୀ ଠାକୁରାଣୀଙ୍କ ପାଖରେ ଭୋଗ ଦେଇ ମନ କଥା ଏକୁଟିଆ ଜଣାଇବେ । ଦିନ ଠିକ୍‍ ହେଲା; ସତକୁ ସତ ଗୁଡ଼ିଆ ଆସି ନାନାପ୍ରକାର ଅନହୋଳି ସାମଗ୍ରୀ ତିଆରି କଲେ । ବୈରାଗୀ କିନ୍ତୁ ସବୁ ଖବର ରଖୁଥାଏ । ସନ୍ଧ୍ୟାବେଳକୁ ଭୋଗ ଲାଗିବା କଥା-। ବୈରାଗୀ ତ ଭାରୀ ଚାଲାକ । ସ୍କୁଲ ମାଷ୍ଟରଙ୍କ ବସାକୁ ପଢ଼ିବାକୁ ଯାଉଛି ବୋଲି କହିଦେଇ ଦିନ ଘଡ଼ିଏ ଥାଉଣୁ ଘରୁ ଚାଲିଗଲା । ମୁକୁନ୍ଦ ବାବୁ ପୂଜାସାମଗ୍ରୀ ପ୍ରସ୍ତୁତ କଲେ । ଦିନେ ନାହିଁ କାଳେ ନାହିଁ, ମୁକୁନ୍ଦ ବାବୁଙ୍କର ଦେବଭକ୍ତି ଦେଖି ଲୋକେ ଭାରୀ ଖୁସି । ଭିତର ମରମ ବୁଝୁଛି କିଏ-? ଏକା ବୁଝିଛି ବୈରାଗୀ ।

 

ମାଛି ଅନ୍ଧାର ହୋଇଗଲାଣି । ବୈରାଗୀ ସ୍କୁଲ ମାଷ୍ଟରଙ୍କ ବସାକୁ ଯିବ କ’ଣ, କେଜାଣି କାହିଁକି ଠାକୁରାଣୀଙ୍କ ବରଗଛ କୋରଡ଼ ଭିତରେ ପଶିଯାଇ ଲୁଚି ରହିଲା । ଦେଖୁ ଦେଖୁ ସନ୍ଧ୍ୟା ଆରତି ବେଳ ହେଲା । ମୁକୁନ୍ଦ ବାବୁ ତରତର ହୋଇ ପୂଜାସାମଗ୍ରୀ ଧରି ଠାକୁରାଣୀଙ୍କ ପାଖରେ ହାଜର । ବୈରାଗୀ ଗଛ ଭିତରେ ରହି ସବୁ କାନପାରି ଶୁଣୁଥାଏ । କେହି ବୋଲି କେହି ଆଉ ସେଠାରେ ନ ଥଆନ୍ତି । ମୁକୁନ୍ଦ ବାବୁ ନିଜେ ନିଜେ ପୂଜା ଆରମ୍ଭ କଲେ । ଗୁଣୁ ଗୁଣୁ ହୋଇ କେତେ ମନକଥା ସବୁ ଫିଟେଇ କହୁଥାନ୍ତି । ପୁଣି କହିଲେ, ‘‘ମା, କଳାଶାଢ଼ି ଦେବି, ମୁକୁଟ ଦେବି, ଦେଉଳ ତୋଳିଦେବି । ଏତକ ଗୁହାରି ମୋର ଶୁଣ । ଗୋବିନ୍ଦା ଦ୍ୱାରା ଏ ସଂସାରରେ ବା କ’ଣ ହେବ ? ତାକୁ ଯଦି ମୋଡ଼ିମାଡ଼ି ଖାଇଯାଆନ୍ତୁ, ତେବେ ମୋର ମନକାମନା ସିଦ୍ଧ ହୁଅନ୍ତା । ଆଉ ଏତକ ଗୁହାରି ମୋର ନ ଶୁଣିଲେ ତୋ ପାଖକୁ ମୋର ଆସିବା ଏତିକି ।’’ ମୁକୁନ୍ଦ ବାବୁ ଲମ୍ୱ ହୋଇ ପଡ଼ିଗଲେ । କିଛି ସମୟ ପରେ ଉଠି ଭୋଗ କରିବାକୁ ଯୋଗାଡ଼ କରୁଛନ୍ତି, ଏତିକିବେଳେ ଠାକୁରାଣୀଙ୍କର ଗଛ ଭିତରୁ ଶବ୍ଦ ହେଲା—

 

‘‘ଆରେ ଯା ! ଏ ଭୋଗ ମାରା ହୋଇଗଲାଣି । ଏ ଭୋଗ ନୁହେଁ—ବିଷ । ତୁ ତୋର ଭାଇକୁ ମାରିବା ଆଶାରେ ଏସବୁ ସାମଗ୍ରୀ ଆଣିଛୁ । ମୁଁ ଏ ବିଷ ଖାଇବି ନାହିଁ । ମୋର ହଜମ କରିବାର ଶକ୍ତି ନାହିଁ । ତୋର ଏ ଭୋଗ ଦେବତା-ଯୋଗ୍ୟ ନୁହେଁ । ନିଶ୍ଚୟ ଅବିଳମ୍ୱେ ତୋର ଅନିଷ୍ଟ ଘଟିବ । କୁଳରେ କେହି ପାଣି ଦେବାକୁ ରହିବେ ନାହିଁ । ଯଦି ମଙ୍ଗଳ ଚାହୁଁ, ତେବେ ଏହି ମୁହୂର୍ତ୍ତରେ ଏ ମିଷ୍ଟାନ୍ନସବୁ ମୋରି ନାଁରେ ପାଣିଛଡ଼େଇ ତୋ ଭାଇ ଗୋବିନ୍ଦାକୁ ଖାଇବାକୁ ଦେ—ନଚେତ୍‍ ତୋର ସର୍ବନାଶ !’’ ମୁକୁନ୍ଦ ବାବୁଙ୍କ ମୁଣ୍ଡରେ ବଜ୍ର ପଡ଼ିଗଲା । କେଡ଼େ ବଡ଼ ଆଶା ବିପରୀତ ଫଳ ହେଲା ! ସେଥିରେ ପୁଣି ଗୋବିନ୍ଦଟା ପାଖକୁ ଯିବାକୁ ହେବ ।

 

‘‘କହିଲେ କୁଳ କଟୁମ୍ୱକୁ ଲାଜ,

ନ କହିଲେ କୁଳ ଭାସି ଯାଉଛି ।’’

 

କଅଣ କରିବେ—ମୁକୁନ୍ଦ ବାବୁ ମୁଣ୍ଡ କାନ ଆଉଁଷି ଭୋଗତକ ଧରି ଘରକୁ ଫେରିଲେ-। ପଛରେ ବୈରାଗୀ ମଧ୍ୟ ଲୁଚି ଲୁଚି ଘରେ ହାଜର । ମୁକୁନ୍ଦ ବାବୁ ଘରେ ଯାଇ ସମସ୍ତ କଥା କହିଲେ । ବୈରାଗୀକୁ ଡାକି ମଧ୍ୟ ସବୁ କହିଲେ । ବୈରାଗୀ ହଠାତ୍‍ କହିଲା–‘‘ଆଉ ତେବେ ଡେରି କାହିଁକି ବାପା ! ଚାଲନ୍ତୁ ଗୋବିନ୍ଦ ଦାଦିଙ୍କ ପାଖକୁ ଏସବୁ ନେଇଯିବା ।’’

 

‘‘ଚୋର ମା କାନ୍ଦେ ନାହିଁ (ଚୋର ମା ଲାଜେ ନ କାନ୍ଦେ)

ଯେବେ କାନ୍ଦେ ଆଖି ମଳି ମଳି କାନ୍ଦେ ।’’

 

ବାପ ପୁଅ ଦିହେଁ ଗୋବିନ୍ଦ ଘରଠାରେ ହାଜର ।

 

ଗୋବିନ୍ଦର ଆଜି ଠକ୍‍ ଠକ୍‍ ଉପାସ । ଦେହ ଭଲ ନ ଥିବାରୁ କୁଆଡ଼କୁ ଯାଇ ନାହିଁ ବା କିଛି ହେଲେ ଖାଇବାର ଯୋଗାଡ଼ କରି ନାହିଁ । ପିଲାଟିମାନେ ଭୋକରେ ଆଉଟିପାଉଟି ହେଉଛନ୍ତି-। ରାତି ପାହିଲେ ସିନା ଯୋଉ କଥା । ଭଗବାନଙ୍କର ବରାଦ ତ; ହଠାତ୍‍ ମୁକୁନ୍ଦ ବାବୁ ଆଉ ବୈରାଗୀ ପହଞ୍ଚିଗଲେ । ଦିନଯାକତ ଠ, ଠା, ଠି । ଗୋବିନ୍ଦ ଆଖିରୁ ଜୁଳୁଜୁଳିଆ ପୋକ ବାହାରି ଯାଇଛି । ଭାଇ ପୁତୁରାକୁ ଦେଖି ସେ ତଟସ୍ଥ ହୋଇଗଲା । କଅଣ ବିପଦ ପଡ଼ିଲା ପରା-! ଭଗବାନଙ୍କୁ ଡାକି ଭାଇଙ୍କୁ ପ୍ରଣାମ କଲା । ବୈରାଗୀକୁ କୁଣ୍ଢେଇ ପକେଇଲା । ବୈରାଗୀ ମଧ୍ୟ ଗୋଡ଼ତଳେ ପଡ଼ିଗଲା । ସଭିଏଁ କାନ୍ଦ କାନ୍ଦ ପ୍ରାୟ । କାହାରି ପାଟିରୁ କିଛି କଥା ବାହାରୁ ନାହିଁ-। ପୂରୁବ ଦିଗର ଭାନୁ ଆଜି ପଶ୍ଚିମରେ ଉଇଁଛନ୍ତି କି ? ତା’ ନ ହେଲେ ମୁକୁନ୍ଦ ବାବୁ ରାତି ଅଧରେ ଗୋବିନ୍ଦା ଘରଠାରେ କାହିଁକି ମୂକଙ୍କ ପରି ଠିଆ ହୋଇଥାନ୍ତେ ? କେତେବେଳକେ ମୁକୁନ୍ଦ ବାବୁ ଗୋବିନ୍ଦକୁ ସବୁ କଥା କହିଲେ । ଗୋବିନ୍ଦ ଟିକିଏ ଲଜ୍ଜିତ ହେଲା । ତାହାରି ପାଇଁ ସିନା ଏତେ କଥା–ବିଶେଷରେ ଗୋବିନ୍ଦ ଭୋଗ ନ ଖାଇଲେ ମୁକୁନ୍ଦ ବାବୁଙ୍କର କୁଳନାଶ ହେବ । ଠାକୁରାଣୀଙ୍କର ପ୍ରସାଦ, ଭାବିବାର କଥା କିଛି ନାହିଁ—ଗୋବିନ୍ଦ ରାଜି । ମୁକୁନ୍ଦ ବାବୁଙ୍କ ମନରେ ଏବେ ଶାନ୍ତି ଆସିଲା ।

 

ସେହିଦିନଠାରୁ ଭାଇରେ ଭାଇରେ ମିଳିଗଲେ । ରାଗ ଅହଙ୍କାର କୁଆଡ଼େ ଉଭେଇ ଗଲା । ତାଙ୍କ ଦେଖା ଦେଖି ଗାଁର ଆଉ ଲୋକଙ୍କର ଯାହା ବା ରାଗରୋଷ ଆପଣା ଆପଣା ଭିତରେ ଥିଲା, ସବୁ ଜଳି ପୋଡ଼ିଗଲା । ସଭିଏଁ ଭାରୀ ସୁଖ ଶାନ୍ତିରେ ରହିଲେ ।

 

ବୈରାଗୀ ପିଲାଟା ହେଲେ କଅଣ ହେବ ମନ କଥା ମନରେ ରଖି କେଡ଼େ ବଡ଼ କାମଟା ଅକ୍ଳେଶରେ କରିଦେଲା । ବେଳ ପଡ଼ିଲା, ବୈରାଗୀ ନିଜେ କେମିତି ବରଗଛ ଭିତରେ ପଶି କଥା କହିଲା, ସବୁ ଖୋଲି କହିଦେଲା । ସଭିଏଁ ଶୁଣି ଭାରୀ ଆଶ୍ଚର୍ଯ୍ୟ ହେଲେ । ଆଉ ବିରକ୍ତ ହେବେ କ’ଣ, ପ୍ରଶଂସାରେ ତାକୁ ଭସାଇ ଦେଲେ ।

Image

 

ଏକା ମାଧିଆ ବାଇଶ ପଳ

 

ପଇସା ତ ସରଗ ନେବ ନାହିଁ । ଖାଇବ ନାହିଁ, ପିଇବ ନାହିଁ, ମଉଜ ମଜଲିସ୍‍ ତ କରିବ ନାହିଁ, ଆଉ କରିବ କଅଣ ? ମନବୋଧିଆ ଅଏସ ନ କରି କାହାପାଇଁ ଧନ ରଖିବ ମହୁମାଛି ପରି ? ପର ପାଇଁ କ’ଣ ଧନ ସଞ୍ଚି ରଖିବ ? କହିଛି ପରା—

 

‘‘ଆତ୍ମା କୁଶଳେ ସର୍ବ ସିଦ୍ଧି;

ଜାଣିବ ଏହୁ ମହାବିଧି ।’’

 

ଗୋଲକ ବାବୁ ଖାଇବା ପିଇବା ବିଷୟରେ ଏକାବେଳକେ ବେପରୁଆ । ଘରଦ୍ୱାରା ତେଣେ ଭାସିଗଲେ କ’ଣ ହେଉଛି ! ସାଙ୍ଗସରିସାରେ ଖିଆପିଆଟା ଚାଲେ ଦିନରାତି ଚବିଶ ଘଣ୍ଟା-। ମଦ ଟୋପାଟା ପାଇଁ ମଲା ଗାତରୁ ଉଠି ବସିବାବାଲା । ଆଉ ମଧ୍ୟ ସେମିତିକିଆ ସାଙ୍ଗ ଦୁଇ ଚାରିଟା ବରାବର ପଛରେ ଗୋଡ଼ାଣିଆ ହୋଇଥାନ୍ତି । ସାଙ୍ଗମାନେ ଟେକାଟେକି କରି କହିପୋଛି ବେଶ୍‍ ଆମଦାନିଟା କରି ନିଅନ୍ତି । ଗୋଲକ ବାବୁଙ୍କର ସମ୍ପତ୍ତି ମଧ୍ୟ କମ୍‍ ନୁହେଁ । ଘରକୁ ନିଜେ ମାଲିକ । ଖିଆପିଆଟା ସାଧନ ଭଜନ । ଆଉ ଚିନ୍ତା ଦକ କିଛି ନାହିଁ ।

 

‘‘ପଶୁପାଳକ,

ଯାହା ଖାଇଥିବ ଏଇ ବେଳକ ।’’

 

ମରିଗଲେ ଟଙ୍କା ପଇସା କେହି ମୁଣ୍ଡତଳେ ନେବେ ନାହିଁ । ଭଲରେ ମନ୍ଦରେ ଆପଣାର କେହି ବୋଲି କେହି ନାହିଁ । କେବଳ ମାଧିଆ ଚାକରଟି ସବୁବେଳେ ପାଖେ ପାଖେ ହାଜର । ଭାରି ନିମକସଚ୍ଚା । ବାବୁ ମଧ୍ୟ ମାଧିଆକୁ ଦଣ୍ଡେ ଛାଡ଼ି ପାରନ୍ତି ନାହିଁ । ବେଳେ ବେଳେ ମାଧିଆକୁ ନ ପଚାରି କୌଣସି କାମ କରନ୍ତି ନାହିଁ । ଭାରି ନିହତିଆ ଚାକରଟି ଏକା । ହାତଉଠାପଣ ତା’ର ଜାତକରେ ନାହିଁ; ବରଂ ବାବୁଙ୍କ ସମ୍ପତ୍ତିରେ ମାଛି ବସେଇ ଦେବ ନାହିଁ । କାମ ପାଇଟିରେ ବାବୁଙ୍କର ମନ ଜାଣି ସବୁବେଳେ ଜାଗତିଆର । ବାବୁ ଯେତେବେଳେ ମଦଖିଆରେ ଭୋଳ, ସାଙ୍ଗ ସୁଖ ଯିଏ ପାଖରେ ଥାନ୍ତି, ଦାଉ ଦେଖି ବେଶ୍‍ ହାତଉଠାପଣ କରିପକାନ୍ତି । ହେଲେ ମାଧିଆ ଦେହରେ ସେଗୁଡ଼ାକ ଯାଏ ନାହିଁ । ତା’ ମନ ଖାଲି ସାରୁ ଖାଇଲା ପରି ହୁଏ । ବାବୁଙ୍କ ଡରରେ କିଛି ନ କହିଲେ କ’ଣ ହେବ, ସେ ବେଶ୍‍ ହୁସିଆରରେ ଚଳାଚଳ ହେଉଥାଏ; କିନ୍ତୁ ବାବୁଙ୍କର ସାଙ୍ଗମାନେ କାହିଁକି କେଜାଣି ମାଧିଆ ଉପରେ ଭାରି ବିରକ୍ତ । ଦାଉ ଉଣ୍ଡି ଲଗେଇ ଯଚେଇ ମାଧିଆ ନାଁରେ ଦଶ କଥା ବାବୁଙ୍କ କାନରେ ବରାବର ଫୋଡ଼ୁଥାନ୍ତି । ବାବୁ ମଧ୍ୟ ସେମାନଙ୍କ କଥାରେ ବାଇ ହୋଇ ମାଧିଆକୁ କେତେଥର ଗାଳିମନ୍ଦ ଦିଅନ୍ତି, ବେଳେ ବେଳେ ମଧ୍ୟ ମାଡ଼ ମାରନ୍ତି । ହେଲେ ମାଧିଆ ସେ ସବୁକୁ ଛଳ କରେ ନାହିଁ । ଚାକରଟାଏ ହେଲେ କ’ଣ ହେବ, ତା’ର ଭାରୀ ବୁଦ୍ଧି । କଥାଟା ବେଶ୍‍ ବୁଝିପାରେ ଓ ଚୁପ୍‍ଚାପ୍‍ ରହେ; କାରଣ ମାଧିଆ ଛାଡ଼ି ଚାଲିଗଲେ ଦିନ ଦିପହରରେ ବାବୁ ‘କୁତାର ହାଲ’ ହୋଇଯିବେ । ମଦନିଶାରେ ସିନା ମାଡ଼ ଗାଳି-? ମାଧିଆ ଭିତରେ ଭିତରେ ବାବୁଙ୍କର ମଦଖିଆ ଛଡ଼ାଇବା ପାଇଁ ଭାରି ଚେଷ୍ଟା କରୁଥାଏ-

 

ଦିନକର ଘଟଣା । ଗୋଲକ ବାବୁଙ୍କର ଗୋଟାଏ ଶକତ ଭୋଜର ଆୟୋଜନ ହେଲା-। ବାବୁ ନିଜେ ନିଜେ ସବୁ ବରାଦ କଲେ । ହେଲେ ମାଧିଆ ନ ଲାଗିଲେ କେଉଁ କାମ ପୂରା ପଡ଼େ ନାହିଁ । ମାଧିଆ ହୁକୁମ ପାଇ ବାବୁଙ୍କର ମନମୁତାବକ ସବୁ ବନ୍ଦୋବସ୍ତ କରିଦେଲା-। ବାବୁଙ୍କର ପଇସା, କେବଳ ସୁବିଧାରେ ବନ୍ଦୋବସ୍ତ କରିବା କଥା ।

 

‘‘ଦାତାର ଘିଅ ସରିବ,

ବ୍ରାହ୍ମଣର ସ୍ୱାହା କରିବାକୁ କଅଣ ଯାଏ ?’’

 

ବାବୁଙ୍କର ମନ ଖୁସ୍‍—

 

ସନ୍ଧ୍ୟା ହେଲା । ଗୋଟି ଗୋଟି ହୋଇ ସାଙ୍ଗମାନେ ଏକଜୁଟ ହେଲେ, ଭାରି ଗମାତ୍‍ ଚାଲିଲା । ମଦ ଖାଇ ସଭିଏଁ ମାତାଲ । ଏକା ମାଧିଆ ବିଚରାଟି ସବୁ ନାଟ ଦେଖୁଥାଏ । ବରାବର ନଜର, ଯେପରି ଜିନିଷପତ୍ର କିଛି ନଷ୍ଟ ନ ହୁଏ । ଭାରୀ ହୁସିଆରରେ ଥାଏ । ଗୋଲକ ବାବୁଙ୍କର ନିଶାଟା ବେଶ୍‍ ଚଢ଼ିଗଲା । ବେଳ ଦେଖି ସାଙ୍ଗମାନେ ମାଧିଆ ନାଁରେ କେତେ କ’ଣ ବାବୁଙ୍କୁ ଚୁପ୍‍ ଚୁପ୍‍ କରି କହିଲେ । ବାବୁଙ୍କର ନିଶାଟା ଆହୁରି ବଢ଼ିଗଲା । ରାଗରେ ତମ ତମ ହୋଇ ମାଧିଆକୁ ଆଚ୍ଛାକରି କାନମୂଳିଆ ଚଟକଣାଟାଏ ପକେଇଲେ । ମାଧିଆର ଅକଲ ଗୁଡ଼ୁମ୍‍ । ଖୁବ୍‍ ସମ୍ଭାଳି ନେଲା, କିଛି କହିବାର ବେଳ ଏ ନୁହେଁ ।

 

‘‘ଆଲୋ ସଖି, ଆପଣା ମହତ ଆପେ ରଖି ।’’

 

ମାଧିଆ ଟିକିଏ କ’ଣ ଭାବିଲା, ଥିଲା ଥିଲା କଦଳୀଗଛ କାଟିଲାପରି ହଠାତ୍‍ ତଳେ କଚାଡ଼ିହୋଇ ପଡ଼ିଗଲା; କିଛି ସୋର ଶବଦ ନାହିଁ । ବାବୁଙ୍କର ହଲକ ଶୁଖିଗଲା । ସାଙ୍ଗମାନେ ମଧ୍ୟ ଚମକିପଡ଼ି ଧାଇଁଲେ । ମାଧିଆକୁ ଯେତେ ଗଡ଼େଇ ତଡ଼େଇ ଦେଖିଲେ—ତାହାର ଆଉ କିଛି ନାହିଁ । ନାଡ଼ି ନିଃଶ୍ୱାସ ସବୁ ବନ୍ଦ । ସଭିଙ୍କର ନିଶା ଛାଡ଼ିଗଲା । ମନ ଏବେ ଘର ଧରିଲା । ବନ୍ଧୁମାନେ ଯେତେ ଥିଲେ ଗୋଟି ଗୋଟି ହୋଇ ଚୁପ୍‍ଚାପ୍‍ ଅଗଣା ବାଟ ଧରିଲେ ।

 

‘‘ଖାଇଲା ବେଳକୁ ସିନା ଗୋଛାଏ,

ମେଁ ବେଳକୁ କିଏ ?’’

 

ଚାପୁଡ଼ାଟାରେ ମଣିଷଟା ମରିଗଲା । କେତେ ଧରପଗଡ଼ି ଲାଗିବ, ବାବୁଙ୍କର କଥା ନେଇ ଆଣି ଥୋଇ ହେବ ନାହିଁ । ଉପାୟ ନ କଲେ ଗତି ନାହିଁ । ଗୋଲକ ବାବୁ ଭାବି ଭାବି କଅଣ ଠିକ୍‍ କଲେ କେଜାଣି ନିଜେ ମାଧିଆକୁ ଶୂନ୍ୟେ ଶୂନ୍ୟେ ଟେକି ନେଇ ରାତାରାତି ଡାକ୍ତର ବାବୁଙ୍କ ଦୁଆରେ ହାଜର । ଯିଏ ଯୁଆଡ଼େ ଶୋଇଛନ୍ତି । ସୁରସାର କିଛି ନାହିଁ । ଗୋଲକ ବାବୁ ମୁର୍ଦ୍ଦାରଟିକୁ ଡାକ୍ତର ବାବୁଙ୍କ ଦାଣ୍ଡ ଦୁଆର କବାଟକୁ ଆଉଜେଇ ଡେରିଦେଲେ । ଡାକ ଛାଡ଼ିଲେ–‘‘ମରିଗଲି ଡାକ୍ତର ବାବୁ ଭାରି ପେଟବଥା । ଧାଇଁ ଆସ, ଔଷଧ ଟିକିଏ ନ ଦେଲେ ମୋ କଥା ଶେଷ ।’’ ଟିକିଏ ଛାଡ଼ି ଭିତରୁ ଶବ୍ଦ ଶୁଭିଲା—‘‘ଥୟ ଧର, ରହ, ଔଷଧ ଠିକ୍‍ କଲେ ଦେବି ନା, କ’ଣ ଖାଇଗଲା କଥା ହୋଇଛି ? ଘଣ୍ଟାଏ ଅପେକ୍ଷା କର ।’’ ଗୋଲକ ବାବୁ ଆଉ କିଛି ନ କହି ଚୁପ୍‍ କରି ଏକମୁହାଁ ହୋଇ ଘରକୁ ଫେରିଲେ । ରାତି ନିଶା ଗରଜୁଛି । ବାବୁଙ୍କର ମନ ଥୟ ହେଲା ନାହିଁ । ଛପି ଛପି କଥାଟା କ’ଣ ହେବ ଜାଣିବାକୁ ରହିଲେ ।

 

କିଛି ସମୟ ପରେ ଡାକ୍ତର ବାବୁଙ୍କ ନିଦ ମଳ ମଳ ହୋଇ ଉଠିଆସିଲେ । ହଠାତ୍‍ ଦାଣ୍ଡ କବାଟ ଫିଟେଇ ଦେଲାବେଳକୁ ଗୋଟାଏ କ’ଣ ଦୁମ୍‍ କିନି ଶବ୍ଦ ହେଲା । ଦେଖ୍‍ ଦେଖ୍‍ ମଣିଷଟାଏ କଚାଡ଼ି ହୋଇ ପଡ଼ିଲା । ହଠାତ୍‍ ଭାବି ନେଲେ—‘‘ବୋଧହୁଏ ପେଟ ବଥା ରୋଗୀ ଯନ୍ତ୍ରଣା ସମ୍ଭାଳି ନ ପାରି କବାଟକୁ ଆଉଜି ଠିଆ ହୋଇ ମୋତେ ଅପେକ୍ଷା କରିଥିଲା । କବାଟ ଧକ୍କାରେ ତଳେ ପଡ଼ିଗଲା ।’’ ଡାକ୍ତର ବାବୁଙ୍କ ମୁଣ୍ଡ ଚକ୍ର ମାଇଲା । ଦେଖିଲାବେଳକୁ ମଣିଷଟା ମରିଯାଇଛି । ଉପାୟ କ’ଣ, ରାତି ପାହିଲେ ହାତକଡ଼ି ପଡ଼ିବା କଥା । ଡେରି କଲେ ଚଳିବ ନାହିଁ । ଡାକ୍ତର ବାବୁ ଆଉ ତାଙ୍କର ସ୍ତ୍ରୀ ଓ ଚାକର ମିଶି ମୁର୍ଦ୍ଦାରଟାକୁ ଟେକି ନେଇ ଗାଁ ମୁଣ୍ଡ ଏକୁଟିଆ ବଡ଼ ବରଗଛ ମୂଳରେ ଠିଆ ଡେରିଦେଇ ଛୁ । କେବଳ ଚାକରକୁ ଗୁପ୍ତରେ ରଖେଇ ଦେଲେ ଯେ, କଥାଟା କ’ଣ ହେବ, ଖବର କରିବ ।

 

‘‘ପର ପୁଅ ମଲା,

ରୋଗ ବାହାରେ ବାହାରେ ଗଲା ।’’

 

ଗୋଲକ ବାବୁ ଏତେବେଳେ ଟିକିଏ ନିଶ୍ଚିନ୍ତ ହୋଇ ଘରେ ରହିଲେ । ନିୟମ କଲେ ଆଉ ମଦଖିଆ ଚଳିବ ନାହିଁ । ଏଡ଼େ ବିପଦ—ଯାହା ହେଉ ରକ୍ଷା ହୋଇଗଲା । ଡାକ୍ତର ବାବୁଙ୍କ ମୁଣ୍ଡରେ ସବୁ ।

 

ଆଠ ଦିନ ତଳେ ଗାଁରେ ଗୋଟାଏ ଭାରି ଚୋରି ହୋଇଥିଲା । ଚୋରର ପତା କିଛି ମିଳିଲା ନାହିଁ । ପୋଲିସ ଖୋଜି ଖୋଜି ବ୍ୟସ୍ତ । ଯିଏ ଚୋର ଧରିଦେବ ବା ତା’ର ସନ୍ଧାନ ଦେବ, ଯଥେଷ୍ଟ ପୁରସ୍କାର ପାଇବ ବୋଲି ନାଗରା ଦିଆ ହୋଇଥିଲା । ପୁରସ୍କାର ଲୋଭରେ ଜଣେ ସିପେଇ ରାତି ରାତି ବରାବରି ଚୋରର ଅନୁସନ୍ଧାନରେ ବୁଲି ବୁଲି ସେହି ବଡ଼ ବରଗଛମୂଳେ ହାଜର । ଦେଖିଲା—ଗୋଟାଏ କିଏ ଗଛକୁ ଆଉଜି ଠିଆ ହୋଇଛି । ରାତି ପାହାନ୍ତି ପ୍ରାୟ । ଏତେବେଳେ ଏଠି କିଏ କାହିଁକି ଠିଆ ହୋଇ ଶୋଇଥାନ୍ତା । ଚୋର ବୋଲି ଭାବି ସିପେଇ ଆଚ୍ଛା କରି ଚଟକଣାଟାଏ ପକେଇ ହାତ ଦୁଇଟାକୁ ବାନ୍ଧି ପକେଇଲା । ମଣିଷଟା ତଳେ ପଡ଼ିଗଲା । ସିପେଇ ମାର ଧର କରି ଉଠେଇଲାବେଳକୁ ଦେଖେ ତ ମଣିଷଟାର କିଛି ନାହିଁ । ସିପେଇଟି ଭାରି ବ୍ୟସ୍ତରେ ପଡ଼ିଲା । ଭଲା ଚଟକଣାଟାଏ ପକେଇଲା, ଲୋକଟା ମରିଗଲା ! ସେଥିରେ ପୁଣି ହାତ ବନ୍ଧା । ଦେଖୁ ଦେଖୁ ରାତି ପାହିଗଲା । ଲୋକ ଜମା ହୋଇଗଲେ । ବୁଝୁ ବୁଝୁ ସିପେଇ ଗୋଟାଏ ଲୋକକୁ ଚୋର ବୋଲି ମାରୁ ମାରୁ ମାରି ପକେଇଛି । ସିପେଇ ବିଚରାଟି ବା ଯାଉଛି କୁଆଡ଼େ, ବନ୍ଧା ହୋଇ ଥାନାକୁ ଗଲା । ମୁର୍ଦ୍ଦାରକୁ ମଧ୍ୟ ଆଚ୍ଛା କରି ଲୁଗାରେ ଘୋଡ଼େଇ ଦେଇ ଥାନାକୁ ନେଲେ ।

 

ଏଣେ ଡାକ୍ତର ବାବୁ ଖବର ପାଇ ଟିକିଏ ଦମ୍ଭ ଧରି ରହିଲେ । ସିପେଇ ମୁଣ୍ଡରେ ସବୁ ଗଲା ।

 

‘‘ଯାହାକୁ ରଖିବେ ଅନନ୍ତ,

କି କରିପାରେ ବଳବନ୍ତ ।’’

 

ଥାନାରେ କାଗଜପତ୍ର ତିଆରି ହେଲା । ସିପେଇକୁ ହାକିମ ପାଖକୁ ପଠାହେବାର ସ୍ଥିର ହେଲା । ଡାକ୍ତର ବାବୁଙ୍କର ମନ ଏଣେ ବରାବର ଧଡ଼ପଡ଼ ହେଉଛି । ଦୋଷ କଲା କିଏ, ଦଣ୍ଡ ପାଇବ କିଏ । ମଣିଷ ସିନା କେହି ଜାଣିପାରୁ ନାହାନ୍ତି, ଯିଏ ଦିନରାତି କରୁଛି ସେ ତ ସବୁ ଦେଖୁଥିବ ! ଶେଷ ପରିଣାମ କଅଣ ହେବ ? ଡାକ୍ତର ବାବୁ ଭାବି ଭାବି ସମ୍ଭାଳି ପାରିଲେ ନାହିଁ । କିଛି କାହାକୁ ନ କହି ହାଠାତ୍‍ ଯାଇ ଥାନାରେ ହାଜର । ନିଜର ଦୋଷ ମାନିଗଲେ । ନିର୍ଦ୍ଦୋଷ ସିପେଇ ବିଚରାଟିକୁ ଛାଡ଼ି ଦେବାକୁ ପ୍ରାର୍ଥନା କଲେ । ସତ ସତ ସବୁ କଥା କହିଗଲେ । ପୁଣି ବିଚାର ହୋଇ ସ୍ଥିର ହେଲା—ଡାକ୍ତର ବାବୁଙ୍କୁ ହାତକଡ଼ି ଦେଇ ପଠାଇବାର କଥା ।

 

ଏଣେ ଗୋଲକ ବାବୁଙ୍କର ମନ ବାତୁଳପ୍ରାୟ । ସେ ସବୁ ଖବର ରଖୁଛନ୍ତି । କ’ଣ ଭାବିଲେ, ଦୌଡ଼ିଯାଇ ଥାନାରେ ହାଜର । କ’ଣ ନା ଡାକ୍ତର ବାବୁ ମଧ୍ୟ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ଗୋଲକ ବାବୁ ନିଜର ସବୁ କାହାଣୀ କହିଗଲେ । ଡାକ୍ତର ଓ ଅନ୍ୟାନ୍ୟମାନେ ଅବାକ୍‍ । ପ୍ରକୃତ କଥା ବାହାରିଲା । ଡାକ୍ତର ବାବୁ ମଧ୍ୟ ଖଲାସ । ଏଥରକ ନିଷ୍ପତ୍ତି ହେଲା ଯେ, ଗୋଲକ ବାବୁ ପ୍ରକୃତ ଦୋଷୀ । ପୋଲିସ ହାତକଡ଼ି ଦେଇ ତାଙ୍କୁ ହାକିମ ପାଖକୁ ପଠାଇବାକୁ ବାହାରିଲେ । ମୁର୍ଦ୍ଦାରଟାକୁ ମଧ୍ୟ ଟେକାଟେକି କରି ନେବାକୁ ବାହାରିଲାବେଳକୁ ଥିଲା ଥିଲା ମୁର୍ଦ୍ଦାରଟା ଏ ପାଖ ସେ ପାଖ ହଲଚଲ ହେଲା । ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଡରରେ ଥରହର । କ’ଣ କରିବେ, ବୁଦ୍ଧି ଦିଶିଲା ନାହିଁ । କାଠ କୁଣ୍ଢେଇ ପରି ସଭିଏଁ ଯିଏ ଯୋଉଠି ଠିଆହୋଇ ରହିଲେ । ଦେଖୁ ଦେଖୁ ମୁର୍ଦ୍ଦାରଟା ଉଠି ଠିଆହେଲା । ହାତ ଯୋଡ଼ି ଲମ୍ୱହୋଇ ଗୋଡ଼ତଳେ ପଡ଼ିଗଲେ । କହିଲା–‘‘ହଜୁର, ଏଥିରେ କାହାରି ଦୋଷ ନାହିଁ । ମୁଁ ହେଉଛି ପ୍ରକୃତରେ ସମ୍ପୂର୍ଣ୍ଣ ଦୋଷୀ । ଯାହା ଦଣ୍ଡ ଦେବାର ମୋତେ ଦିଅନ୍ତୁ । ଆଉ ଏମାନଙ୍କୁ ଛାଡ଼ି ଦିଅନ୍ତୁ ।’’ କାହାରି ପାଟିରୁ କିଛି କଥା ବାହାରିଲା ନାହିଁ । ମାଧିଆ ସବୁ ଘଟଣା ସତ ସତ ମୂଳରୁ କହିଗଲା । ବାବୁଙ୍କର ନିଶାଖିଆ ମାତାଲ ହେବା ଛଡ଼ାଇ ଦେବାପାଇଁ ଏତେ କଥା ନିଜେ ଭିଆଇଛି । ମଲା ପରି ନିଃଶ୍ୱାସ ବନ୍ଦ କରିଦେଇ ପଡ଼ିଥାଏ-। ବେଳ ଦେଖି ଖିଆପିଆ କରେ ।

 

ବାସ୍ତବରେ ବର୍ତ୍ତମାନ ଗୋଲକ ବାବୁ ଆଉ ତାଙ୍କର ବନ୍ଧୁମାନେ ଏକାବେଳକେ ନିଶାଖିଆ ଛାଡ଼ି ଦେଇଛନ୍ତି । ମାଧିଆ କେତେ କାକୁତିମିନତି ହୋଇ ଗୋଲକ ବାବୁଙ୍କୁ ଦୋଷ କ୍ଷମା ମାଗିଲା । ଗୋଲକ ବାବୁ ମଧ୍ୟ କଥାଟା ବେଶ୍‍ ବୁଝିପାରିଲେ । ମାଧିଆର ହାତ ଧରି ଘରକୁ ନେଇଗଲେ ।

 

‘‘ଦଣ୍ଡିବା ଶକ୍ତି ଯାର ଥାଇ,

ସେ ପୁଣି କ୍ଷମା ଆଚରଇ ।’’

 

ମାଧିଆର ବୁଦ୍ଧି କୌଶଳ ଦେଖି ସମସ୍ତେ ଧନ୍ୟ ଧନ୍ୟ କଲେ । ତାକୁ କିଏ କେତେ ପୁରସ୍କାର ଦେଲେ । ସେ କେତେ ଲୋକଙ୍କର ସମ୍ପତ୍ତି ରଖି ସେମାନଙ୍କୁ ଭଲ ବାଟକୁ ଆଣିଲା । ସେହି ଦିନଠାରୁ ନିଶାଖିଆ କଥାଟା ଆଖପାଖ ଚାରିଆଡ଼େ ଲୋକେ ଭୁଲିଗଲେ । ଗୋଲକ ବାବୁ ଆଉ ମାଧିଆ ମହା ନିଶ୍ଚିନ୍ତରେ ରହିଲେ । ଖାଉନ୍ଦ ଚାକର ସମ୍ୱନ୍ଧ ପ୍ରାୟ ରହିଲା ନାହିଁ । ସେମାନେ ଭାଇ ଭାଇ ପରି ଚଳିଲେ ।

 

‘‘ବୁଦ୍ଧି ବିବେକ ଜ୍ଞାନବଳେ,

କିବା ଅସାଧ୍ୟ ମହୀତଳେ ।’’

Image

 

କପାଳ ଫାଟିଲେ ଧରମ ଠିଆ

 

ପୌଷ ପୂର୍ଣ୍ଣମୀ । ପିଠାପଣା ଘରେ ଘରେ । ଜାତିରୁ ଅଜାତିଯାଏ ଛତିଶ ପାଟକଙ୍କ ଘରେ ବାହାବୁଡ଼ା । ନ ଜାଣି କହନ୍ତି କି ‘‘ପୁଷ ମାସରେ କୁକୁର ହାଣ୍ଡିରେ ପେଜ ?’’ ନ ହେବ ବା କାହିଁକି ? ଧାନଗଣ୍ଡାକ ଯେ କାହା ଘରେ ନାହିଁ, ଏମିତି ନାହିଁ । ଅଭିଷେକ ପୁନେଇ, ରାଜା ନଅର କମ୍ପୁଛି । ଯିବାଆସିବା, ଦବାନବା, ଖିଆପିଆ ରାତି ନ ପାହୁଣୁ ଆରମ୍ଭ ହୋଇଗଲାଣି । ଆଜି ପୁନେଇ ଯାତରା । ରାଇଜଯାକର ଲୋକ ରୁଣ୍ଡ ହେବେ । ଅଣଉଦିଆରୁ ଜନ୍ଦା ପିମ୍ପୁଡ଼ି ଧାର ପରି ଲୋକ ଧାଡ଼ି ଛାଡ଼ିଛନ୍ତି । ବୁଢ଼ାବୁଢ଼ୀ ତ ଥୟ ପଡ଼ୁନାହାନ୍ତି, ଟୋକା ଟାକରାଙ୍କ କଥା ଛାଡ଼ । ପିଲାମାନେ ତ ସହଜେ ଖୁରା ଟେକି ଠିଆ । ନାଲି ଫୁଲୀ ରଙ୍ଗରଙ୍ଗିଆ ପେଡ଼ିଲୁଗା ପିନ୍ଧି, ମାଙ୍ଗୁ ପାରି, ସିନ୍ଦୂର କଜଳ ଲଗାଇ ଝିଅ ଝିଆଣିଏ ପୁନେଇ ଯାତରା ଦେଖିଯିବାକୁ ତିଆର । ଭୋକ ଶୋଷ ନାହିଁ, ଗୋଡ଼ ପାଞ୍ଚ ହାତରେ ପଡ଼ୁଛି । ନାଇବା, ପିନ୍ଧିବା ଦେଖିବ କ’ଣ ? ଯାର ନାହିଁ ସାଇ ପାଟକରୁ ହେଲେ ମାଗିଯାଚି ସଜବାଜ । ପରଲୁଗା ପିନ୍ଧି ଫୁଲେଇଟାମାନେ ମଣିଷ ମାନୁନାହାନ୍ତି ।

 

‘‘ପର ଲୁଗା ପିନ୍ଧି ଯାତକୁ ଯାଏ,

ପଚାରିଲେ ମୁଣ୍ଡ ଟୁଙ୍ଗାରୁ ଥାଏ ।’’

 

ବିକ୍ରମ ଶତପଥୀଏ ହେଉଛନ୍ତି ବ୍ରାହ୍ମଣ ଶାସନ ମଉଜାର ଭାରି ମାତବର ଲୋକ । ପଇସା ଖୁବ୍‍, ଖାତର ମଧ୍ୟ କମ୍‍ ନୁହେଁ । ବୈଦେହୀ ହେଉଛି ଗୋଟିଏ ବୋଲି ନାତୁଣୀ । ଆଉ ପିଲା ପିଚିକା କେହି ବୋଲି କେହି ନାହିଁ । ଆଜି ପରା ଦିନରେ ବଇଟି କାନ୍ଦି କୋଡ଼ି କଚାଡ଼ି ହେଉଛି । ଜମା ଆଠ ନଅ ବରଷର ଝିଅ, ବୁଝେଇବ କିଏ ? କୋଉ କଥାରେ ତ ଊଣା ନାହିଁ । ମନକଲେ ସରଗର ଚାନ୍ଦ ଆଣି ଅଜା ହାତରେ ଦେଇଦେବା କଥା, ଭଲ ଦିନୁଟାରେ ଭଲ କାମରେ ପିଲାଟା ବାଡ଼େଇ କଚାଡ଼ି ହେଉଛି, କାନ୍ଦି କାନ୍ଦି ଆଖି ଦୁଇଟା ଡ଼ିମା ଡିମା ହୋଇଗଲାଣି ।

 

‘‘କାହାର ପୁଷ ମାସ

କାହାର ସର୍ବନାଶ ।’’

 

କଥାଟା ବୁଝ ବୁଝ ବଇକୁ ଭଲ ଲୁଗା ଖଣ୍ଡେ ପିନ୍ଧିବାକୁ ଦେଉ ନାହାନ୍ତି । ସିନ୍ଦୂର କଜଳ ଲଗେଇ ଦେଲେ ନାହିଁ, ଗହଣାଗାଣ୍ଠି ମଧ୍ୟ ନାହିଁ । ସେ ଲଙ୍ଗଳା କୁଣ୍ଢେଇଟି ପରି ଦିଶୁଛି । ଏଥିରେ ପିଲାଟା କେମିତି ପିଲା ପାଞ୍ଚଟାଙ୍କ ସାଙ୍ଗରେ ଯାତରା ଦେଖିଯିବ ! ସେଥିପାଇଁ କାନ୍ଦୁଛି । ଯାତରାକୁ ନ ଥିଲା ଘରର ଝୁଅଟିମାନେ କେଡ଼େ ହଇତି ପଇତି ହୋଇ ବାହାରିଛନ୍ତି । ସବୁ ଥାଇ ନ ଥିଲା ପରି । ମା ବାପ ପଥର ପାଲଟି ଗଲେଣି କି ? ବଲର ମୁଣ୍ଡବାଳ ଫୁରୁ ଫୁରୁ ଉଡ଼ୁଛି । ହାତ ଦୁଇଟା ଲଙ୍ଗଳା, ଆଖିରେ କଳା ନାହିଁ, ମୁଣ୍ଡରେ ସିନ୍ଦୂର ନାହିଁ । କାହା ପିଲା ପରି; ବାଟ ଭିକାରିଠୁ ହୀନ । କାହାରି କଣ୍ଠରେ ସରସ୍ୱତୀ ବିଜେ କରୁନାହାନ୍ତି, ବଇକୁ ବୋଧ କରିବାକୁ ।

 

ବଇଟି ବେଳକୁ ବେଳ କାନ୍ଦି କାନ୍ଦି ମନେମନେ ଲୁଣୀଶୁଖୁଆ ପରି ଝଡ଼ି ପଡ଼ୁଛି । ଯିଏ ଯୁଆଡ଼େ ପୁନେଇ ଯାତରା ଦେଖିବାକୁ ଗଲେ । ବଇର ଅବସ୍ଥା ଦେଖି ଚଡ଼େଇ ଚିରୁଗୁଣୀ କାନ୍ଦିଲେ-। ହେଲେ ନିଷ୍ଠୁର ମା ବାପଙ୍କର ମନ ତଟିଲା ନାହିଁ ।

 

ବେଳ ଯିବା ଉପରେ, ବଇ ବାରିଆଡ଼େ ବୁଲୁଛି; ଯୋର ଆର ପାଖରେ ତାଙ୍କ ଧୋବାଘର । ରୂପେଇମା’ ଧୋବଣୀର ଆଖି ପଡ଼ିଗଲା, ବଇକୁ ଡାକି ଯାତ୍ରା ଦେଖିଯିବା କଥା ପଚାରିଲା । ବଇ ଯାହା ଟିକିଏ ଚୁପ୍‍ଥିଲା, ବେଶି କାନ୍ଦିପକେଇ ସବୁ କଥା କହିଗଲା । ରୂପେଇମା’ ମଧ୍ୟ ଶୁଣି କାନ୍ଦିପକେଇଲା । ଯୋର ଏପାଖ ସେପାଖକୁ ଦିହେଁ ମାଆ ଝିଅ ପରି ଦିଶୁଛନ୍ତି । ଚାରି ଆଖିରୁ ଲୁହ ଧାର ବୋହିପଡ଼ୁଛି । ରୂପେଇମା’ର ହାତଠେଇଁ ହାତ ଗୋଡ଼ଠେଇଁ ଗୋଡ଼ ରହିଗଲା-। କଥାଟା କ’ଣ କି ବଇର ଆର ବରଷ ବାହାଘର ହୋଇଥିଲା । ବର ପିଲାଟି ଏବେ କେଇ ଦିନହେଲା ମରିଯାଇଛି । ବଇ ବିଧବାବୋଲି କିଛି ଭଲଲୁଗା, ଅଳଙ୍କାର, ସିନ୍ଦୂର, କଳା ଦେଇନାହାନ୍ତି । ପିଲାଟା ଏତେ କଥା ଜାଣିଲା କୋଉଠୁ । କାଠ ପଥର କଣ୍ଢେଇ ପରି ଟେକିଟାକି ବାହାଘର କରି ଦେଇଥିଲେ ସିନା, ତା’ର ଏସବୁ କଥାର ଜ୍ଞାନ କ’ଣ । ଯାହାହେଉ ବ୍ରାହ୍ମଣ ଘର, ବିଧବା ହୋଇ ନାଇଲେ ପିନ୍ଧିଲେ ଜାତିରେ ବାଛନ୍ଦ କରିବେ, ଅଜାତି କରିବେ । ରୂପେଇମା’ ବଇକୁ ଭଲକରି କହିପୋଛି ବୋଧଦେଇ କହିଲା, ‘‘ବଇ, ତମେ ପାଠ ପଢ଼ୁଥା, ମୁଁ ତମ କଥା ବୁଝିବି-। ନାଇବ, ପିନ୍ଧିବ, ଭଲ ହେବ । ମୁଁ ସବୁ ସୁବିଧା କରାଇ ଦେବି । ତେମେ ଚୁପ୍‍ଚାପ୍‍ ହୋଇ ରହିଥା, ଘରକୁ ଯା, ସନ୍ଧ୍ୟା ହୋଇଯିବ । ବଇ ଟିକିଏ ବୁଝିଲା, ଘରକୁ ଫେରିଲା ।’’

 

‘‘କର୍ମ ଆଦରି ସହେ ଦୁଃଖ

କେବେହେଁ ନ ହୁଏ ବିମୁଖ ।’’

 

ମନ କଥା ମନରେ ଥାଏ । ଦିନେ ରୂପେଇମା’ ବାପଘର ଗଲା । ମାସେ ପନ୍ଦରଦିନ ରହିବାର କଥା । ବାପଘରେ ଲୁଗାପଟା ନେଇ ଗାଁ ଭୂଇଁକୁ ଯିବା ଆସିବା କରେ । ନୂଆ ଶାସନ ମଉଜାରେ ମଧ୍ୟ ବାପଘର ଲୁଗା କାଚନ୍ତି । ଦିନେ ରୂପେଇମା’ ଲୁଗା ନେଇ ଯାଇଛି ସଦେଇ ମିଶ୍ର ଘରକୁ । ଭାରି ବଡ଼ଘର । ରୂପେଇମା’ର ପିଲାଦିନର ପରିଚିତ ଘର । ଥରେ କଥାରେ କଥାରେ ରୂପେଇମା’ ବଇ କଥା ମିଶ୍ରଙ୍କ ଘରେ କହୁ କହୁ କାନ୍ଦି ପକେଇଲା, ଏପରି କି ଗଛରୁ ପତ୍ର ଖସିପଡ଼ିବ । ଏଡ଼େ ସୁନ୍ଦର ଝିଅଟି. ସତେ ଯେପରି ସରଗର ଅପ୍‍ସରୀ । କରମ ସିନା ଛୋଟ ହେଲା, ନଇଲେ ଯାହା ଘରକୁ ଯିବ ପୂରିଉଠିବ । ରୂପରେ ଗୁଣରେ କେହି ବାଛିବାକୁ ନାହିଁ । ସାନଟିଏ ହେଲେ କ’ଣ ହେବ, ଭଲ ପାଠ ମନେ ରଖେ, ଆଉ ମଧ୍ୟ ବୁଦ୍ଧି ଭାରି ଭଲ । ଭୋକିଲା ଶୋଷିଲାଟିଏ ଦେଖିଲେ କୋଉ ଖଞ୍ଜକେ ଦବାନବା କରିବ, କେହି ଜାଣିବେ ନାହିଁ । ମିଶ୍ରଙ୍କ ଘରେ ସଭିଏଁ ଶୁଣି ତରଳି ଗଲେ । କହିଲେ ‘‘କାହିଁକି ? ପିଲାଟା, ତା’ର ଏମିତି କ’ଣ ହୋଇଗଲା ଯେ, ଏଡ଼େ ହୀନିମାନ କରୁଛନ୍ତି ! ପେଟ ଛୁଆଟାକୁ ବାହା କରିଦେଲେ, ବିଧବା ହେଲା । ଏଥିରେ କ’ଣ ହେଲା, ନାଇବ ପିନ୍ଧିବ ନାହିଁ କାହିଁକି ? ଜଣକ ସାଙ୍ଗରେ ଆଉ ଜଣେ କ’ଣ ବିନା ଦୋଷରେ ମରିଯିବ । ତୋ ଅଜା ପରା ତିନିଟା ବିବାହ କରିଛନ୍ତି । କାହିଁ, ସେତେବେଳକୁ ତ କିଛି ବାହାରିଲା ନାହିଁ । ମିଶ୍ରେ ସମ୍ଭାଳି ପାରିଲେ ନାହିଁ । କହିଲେ ‘‘ଆଚ୍ଛା ରୂପେଇମା’, ତୁ ଶୀଘ୍ର ଯା । ଶତପଥୀଙ୍କୁ କହିବୁ ବଇକୁ କେଇଟା ଦିନ ପାଇଁ ଆମ ଘରେ ଛାଡ଼ିଦେବେ । ମୁଁ କାଲି ଯିବି, ନେଇ ଆସିବି । ତାଙ୍କୁ ତ ଆମ ଘର ଅଜଣା ନୁହେଁ । ପୁରୁଣା ବନ୍ଧୁ । ବଇର ମନ ଟିକିଏ ବଦଳି ଗଲେ ମୁଁ ନିଜେ ସବାରୀ ଗଉଡ଼ କରି ଛାଡ଼ିଦେଇ ଆସିବି ଯେ !’’

 

‘‘ମଳୁ ଖୋଜୁଥିଲା ପଇଡ଼ ପାଣି

ବଇଦ କହିଲା ଥିରି ତୋରାଣି ।’’

 

ରୂପେଇମା’ ତର ତର ହୋଇ ନ ଖାଇ ନ ପିଇ ଧାଇଁଲା । ଆପଣା ଘରକୁ ଯିବ କ’ଣ ସେ ଆଗ କରି ଶତପଥୀଙ୍କ ଘରେ ହାଜର । ମିଶ୍ରଙ୍କ ବାରତା ଦେଲା । ଶତପଥୀଏ ଟିକିଏ ଭାବିଲେ, ମଙ୍ଗିଲେ ।

 

ସତକୁ ସତ ମିଶ୍ରେ ସବାରୀ ଗଉଡ଼ ନେଇ ତହିଁ ଆରଦିନ ହାଜର । ବଇ ତ ଆଗରୁ ଶୁଣିଥିଲା । ଖୁସି ହୋଇ ବାହାରିଲା । ହେଲେ ମୋର ଯୋଉ ଲଙ୍ଗଳା କୁଣ୍ଢଇକୁ ସେହି ଲଙ୍ଗଳା କୁଣ୍ଢେଇ । ବିଧବା ଝିଅ । କୋଉ ସୁଲଭ ମାଡ଼ିପଡ଼ୁଛି ଯେ, ସଜବାଜ ହୋଇ ଝିଅ ଶୁଭରେ ଯିବ । ସାଧା ଲୁଗା ଖଣ୍ଡେ, ସୂତା କେରା ପରି ଧଡ଼ି ଧାରଟିଏ, ଆଡ଼ୁ ସାଡ଼ୁ କଣଟାଏ ବେକରେ । ଆଉ କୋଉଠି କିଛି ନାହିଁ । ମିଶ୍ରେ ବଇକୁ ନେଇ ଘରକୁ ଗଲେ । ଗାଁଟାଯାକର ଲୋକେ ବଇକୁ ଦେଖିବାକୁ ରୁଣ୍ଡ । ମିଶ୍ରଙ୍କ ଘରର ସ୍ତ୍ରୀଲୋକମାନେ କାଖେଇ କୁଣ୍ଢେଇ ବଇକୁ ଘରକୁ ଟେକି ନେଇଗଲେ । ଖୋଇଲେ, ପେଇଲେ । ସାଙ୍ଗେ ସାଙ୍ଗେ ଭଲ ଲୁଗା, ଅଳଙ୍କାର ଘରୁ ବାହାର କରି ପିନ୍ଧେଇ ଦେଲେ । କଜଳ, ସିନ୍ଦୂର, ଅଳତା ମଧ୍ୟ ପିନ୍ଧେଇ ଦେଲେ । ବଇ ଦିଶିଲା ଦେବୀଟି ପରି । ଅନ୍ଧାର ଘରକୁ ହାଲୋର କରିଦେଲା । ଦେଖିଲା ଲୋକେ ଘଡ଼ିଏ ଛିଡ଼ା ହୋଇ ଦେଖୁଛନ୍ତି । ସଭିଙ୍କର ଆଖି ବଇ ଉପରେ । ମିଶ୍ରେ ଭାରି ଖୁସିହେଲେ । ବଇର ମଧ୍ୟ ମନ ଆନମନା ହେଲା । କେଇଟା ଦିନ ଯାଇଛି କି ନାହିଁ, ବଇର ମା ବାପା ମନେ ପଡ଼ିଲେ । ମନ ଗୋଳେଇ ଘାଣ୍ଟି ହେଲା । ଅନ୍ତ ଫାଡ଼ି ଜନ୍ମ କରିଛନ୍ତି । କ’ଣ ପର ହୋଇଛନ୍ତି କି ? ଯେତେହେଲେ ମା’ବାପ ପରା । ପାସୋରିବ କିପରି ? ବଇ ମନେମନେ ଭାବୁଥାଏ । ମିଶ୍ରେ ମଧ୍ୟ ବେଶ୍‍ ବୁଝି ପାରିଲେ । କାଳେ ବଇର ମନ ବେଶୀ ଖରାପ ହେବ–ପଠାଇବାର ବନ୍ଦୋବସ୍ତ କଲେ । ସବାରୀ ଗଉଡ଼ ଠିକ୍‍ ହେଲା-। ସାଙ୍ଗରେ ଜିନିଷପତ୍ରସବୁ ଯିବାର ପ୍ରସ୍ତୁତ ହେଲା । ପାଟପିତାମ୍ୱରୀ ସୁନା ଗହଣାରେ ବଇକୁ ଛାଇଦେଲେ । ସିନ୍ଦୂର କଳା ତ ପିନ୍ଧୁଥାଏ ।

 

ଦୁମୁଦୁମିଆ ଖରାବେଳ । ଯିଏ ଯୁଆଡ଼େ ନିଶ୍ଚିନ୍ତରେ ରହିଥାନ୍ତି । ହଠାତ୍‍ ଶୁଭିଲା–‘‘ହୁଙ୍କୁ ଭାଇ, ହୁଙ୍କୁ ଭାଇ’’ ସବାରୀ ଡାକ । ଶୁଣୁ ଶୁଣୁ ଗାଁ ଭିତରେ ସଭିଏଁ ଦାଣ୍ଡକୁ ବାହାରି ପଡ଼ିଲେ । ଦେଖିଲା ବେଳକୁ ସବାରୀ ଦୁଇ ପାଖ ଖୋଲା । ବସିଛି ସେଥିରେ ଦିବ୍ୟସୁନ୍ଦରୀ ବାଳିକାଟିଏ, ରଜାଘରର ଝିଅ ପରି । କିଏ କୁଆଡ଼ୁ ଆସିଲା ବୋଲି ଆଶ୍ଚର୍ଯ୍ୟ ହୋଇଗଲେ । ଧାଇଁଲେ ପାଖରେ ଦେଖିବାକୁ । ସବାରୀ ଶତପଥୀଙ୍କ ଦାଣ୍ଡଦୁଆରେ ରହିଲା । ଭାର ବେଭାର ଯାହାକୁ ଯେତେ । ଗାଁଟାଯାକ ସବାରୀ ପାଖରେ ରୁଣ୍ଡ । ବୁଝିଲା ବେଳକୁ ଶତପଥୀଙ୍କ ଝିଅ ବଇ । ଯିଏ ଯୁଆଡ଼େ କାହିଁକି କେଜାଣି ଛିନଛତର ହୋଇ ଚାଲିଗଲେ । ଅଶୁଭ କଥା । କୋଉ କାଳଯୁଗରେ ଶୁଣାଗୁଣା ନ ଥିଲା । ବିଧବା ବ୍ରାହ୍ମଣୀଟା ନାଇ ପିନ୍ଧି ସଧବା ପରି ହୋଇଛି । ମୁହିଁ ଚାହିଁଲେ ବରକତ ନାହିଁ । ଜାତି ମହତ ସବୁ ଗଲା କି ? ଶତପଥୀଏ ଘରେ କିପରି ପୂରେଇବେ, ଦେଖିବା ।

 

ଶତପଥୀଏ ମଧ୍ୟ ମୁହଁ ମୋଡ଼ିଦେଇ ଫେରିଗଲେ । ବଇ ମା ତ ଯାଇ ସାତ ଖଞ୍ଜା ଭିତରେ ଲୁଚିଲା । ସଧବାଟା, କାଳେ ବିଧବାର ସିନ୍ଦୂରଲଗା ମୁହଁଟା ଆଖିରେ ପଡ଼ିଯିବ ।

 

ମୋ ଝିଅ ହେଲେ ଆଉ କ’ଣ ହେବ–ଯେଝା ଶୁଭ ଯେଝାକୁ—

 

‘‘ମା ଝୁଅ ଦୁହେଁ ଦେଉଳେ ପଶିଲେ

ଯେଝା ଶୁଭ ଯିଏ ମନାସିଲେ ।’’

 

ଶତପଥୀଏ ଆଉ ଗାଁର ମୁଖିଆମୁଖିଆ ବ୍ରାହ୍ମଣମାନେ ମିଶି ମିଶ୍ରଙ୍କୁ ଖୁବ୍‍ ଗାଳିମନ୍ଦ ଦେଲେ । କହିଲେ–‘‘ମିଶ୍ରେ, ଏ କ’ଣ କଲ–ତୁମେ ଜାତି ହରାଇଛ ବୋଲି କ’ଣ ସଭିଏଁ ଅଜାତି ହେବେ । ଝିଅଟାକୁ କେଇଟା ଦିନ ପାଇଁ ଏଇଆ କଲ ? ବିଧବା ହୋଇଥିଲା ଯେ, ତା’ର ସ୍ଥାନ କାହିଁ ଥିଲା; ଏବେ ଜବରଦସ୍ତି ସଧବା କଲ ଯେ, ସେ ମଲାଠାରୁ ବଳି ପଡ଼ିଲା । ଜୋଇଁ ଯାଇଥିଲା ଏବେ ତମରି ପାଇଁ ଝିଅ ବି ଗଲା । ଆଉ ମୋର ଝିଅ କ’ଣ ଅଛି ? ତେମେ ତା’ର ଜୀବନ ମାଟି କରିଛ । ଏଣିକି ତେମେ ତା’ର ରକ୍ଷାକର୍ତ୍ତା ହୁଅ ।’’

 

‘‘ମାଣ୍ଡିଆ ଯାଉ ଖୋଇଚି ଯିଏ

ହଗେଇ ମୁତେଇ ନେବ ସିଏ ।’’

 

ମିଶ୍ରେ ରାଗରେ ତମ ତମ–କହିବେ କାହାକୁ । ସମାଜର ନିୟମକୁ ଶତପଥୀଏ ତ ମୁଣ୍ଡେଇ ବସିଛନ୍ତି । ଯେତେ ଯିଏ କହିଲେ ପୋଛିଲେ ବୃଥା । ଜନ୍ମ କରି ତ ଏପରି, ଅପର କଥା କ’ଣ କହିବା ! ଶତପଥୀଏ ଯୋଉ ଅବୁଝାକୁ ସେଇ ଅବୁଝା ।

 

‘‘ଶଏ ହାଣ୍ଡି–ଏକ ଠେଙ୍ଗା ।’’

 

ମିଶ୍ରେ ବଇକୁ ସବାରୀରେ ବସେଇ ଫେରେଇ ଆଣିଲେ । ବଇର ମନ ମଧ୍ୟ ଦିକଡ଼ା ହୋଇଗଲା । ବାପ ମା ଯେତେବେଳେ ମଲା ସାଙ୍ଗେ ସରିସା କରି ଗୋଇଠା ମାରି ଠେଲି ଦେଉଛନ୍ତି, ସେତେବେଳେ ଆଉ କ’ଣ ଅଛି ? ବଇ ମିଶ୍ରଙ୍କୁ କହିଲା, ‘‘ଆପଣ ମୋ’ପାଇଁ ଏତେ ଅପମାନ ପାଉଛନ୍ତି କାହିଁକି ? ମୋର ସ୍ଥାନ ସମାଜରେ ନାହିଁ କି ସଂସାରରେ ମଧ୍ୟ କୋଉଠି ନାହିଁ । ବର୍ତ୍ତମାନ ମୋତେ ଏଇ ନଦୀକୁ ଠେଲି ଦେଇ ନିଶ୍ଚିନ୍ତ ରହନ୍ତୁ । ବାପମା ତ ନିଶ୍ଚିନ୍ତ ହୋଇସାରିଲେଣି, ଆପଣଙ୍କୁ ମୁଁ ଦହଗଞ୍ଜ କରିବାକୁ ଚାହେଁ ନାହିଁ ।’’ ବଇ କଥାରେ ମିଶ୍ରେ କାନ୍ଦି ପକେଇଲେ । କହିଲେ, ‘‘ବଇ, ତୁ ହେଉଛୁ ବର୍ତ୍ତମାନ ମୋର ଜୀବନ । ତୋତେ ମୁଁ କିପରି ଫୋପାଡ଼ି ଦେବି । ପୃଥିବୀ ପ୍ରଳୟ ହେଲେ ସୁଦ୍ଧା ମୁଁ ତୋତେ ଛାଡ଼ିପାରିବି ନାହିଁ ।’’ ବଇକୁ ନେଇ ମିଶ୍ରେ ଘରକୁ ଫେରିଲାବେଳକୁ ରୂପେଇମା’ ବାଟରେ ଅଟକେଇଲା । ମିଶ୍ରେ ସବୁ କଥା କହିଲେ ।

 

ରୂପେଇମା’ କେତେ କାନ୍ଦିଲା । ମିଶ୍ରେ କହିଲେ, ‘‘ଦେଖ୍‍ ରୂପେଇମା’–ତୋର ହେଉଛି ବଇ ଧର୍ମ ଝିଅ । ତୁ ତାକୁ ପୋଷିଲା ପାଳିଲା ପରି କରିଛୁ । ଆଉ ଦେଖ୍‍ ମୁଁ ଆଜି ବଇକୁ ନେଇଯାଉଛି । ତୁ ଗଲେ ତୋର ଝିଅ ବଇ ସହିତରେ ମୋ ପୁଅର ବିବାହ ହେବ ।’’ ରୂପେଇମା’ ଆଶ୍ଚର୍ଯ୍ୟ ହୋଇଗଲା । ଯେତେ ମନା କଲା, ମିଶ୍ରଙ୍କର ସେଇ ଏକା କଥା । ଏକେ ବ୍ରାହ୍ମଣ ଘର, ସେଥିରେ ପୁଣି ବିଧବା ବିବାହ । ଖାଲି ଏତିକି ନୁହେଁ, ରୂପେଇ ଧୋବଣୀ ଧର୍ମ ମା–ସେ ବାହା କରିବ ।

 

ସତକୁ ସତ ମିଶ୍ରେ ବାହାଘର କରିଦେଲେ । ବଇକୁ ବୋହୂ କରି ରଖିଲେ । ରୂପେଇମା’କୁ ସମୁଦୁଣୀ ସମୁଦୁଣୀ ବୋଲି ଡାକିଲେ । ଲୋକେ କେତ ଟାହିଟାପରା କଲେ, ମିଶ୍ରେ କିନ୍ତୁ ଧୀରସ୍ଥିର ହୋଇ ରହିଲେ । ଖୁବ୍‍ ବଡ଼ କରି ଭୋଜିଟାଏ ହେଲା । ସଭିଙ୍କ ମୁହଁରେ କାଳି ଲାଗିଲା । ଭୋଜି ଭାତ ଖାଇ ସଭିଏଁ ସନ୍ତୁଷ୍ଟ ।

 

ବରଷେ ଯାଇଛି କି ନାହିଁ ଶତପଥୀଙ୍କ ଗାଁରେ ଦୁର୍ଭିକ୍ଷ ପଡ଼ିଲା । ଲୋକେ ଖାଇବା ବିନା ଗଡ଼ି ମରୁଥାନ୍ତି । କେତେ ପ୍ରକାର ରୋଗ ମଧ୍ୟ ହେଲା । ସଭିଏଁ କତରାଲଗା, କିଏ କାହାର ସେବା କରୁଛି । ରୂପେଇମା’ ଯାଇ ଧର୍ମ ଝିଅ ବଇକୁ ଖବର କଲା । ବଇ ତା’ର ସ୍ୱାମୀ ସହିତରେ ଚୁଡ଼ା, ଚାଉଳ, ପଇସା ନେଇ ଶତପଥୀଙ୍କ ଗାଁରେ ହାଜର । ରୂପେଇମା’ର ଘରଠାରେ ରହିଲେ । ରୂପେଇମା’ ଧର୍ମ ଝିଅ ଜୋଇଁକୁ ଖୁବ୍‍ ଚର୍ଚ୍ଚା କଲା । ଗାଁରେ ଖୁବ୍‍ ସେବା କଲେ, ସାହାଯ୍ୟ ଦେଲେ । ପଇସା, ଚୁଡ଼ା, ଚାଉଳ, ଔଷଧ ବାଣ୍ଟିଲେ । କ୍ରମେ କ୍ରମେ ଗାଁଟା ଥୟ ହୋଇଗଲା । ବଇକୁ ଧନ୍ୟ ଧନ୍ୟ କହିଲେ । ଆଜି ଗାଁଟାଯାକ ସଭିଏଁ ବଇ ବେକରେ ବନ୍ଧା । ରୂପେଇମା’ର ଅନୁଗ୍ରହରେ ବଇ ଆଜି କୂଳରେ ଲାଗିଲା । ମା ବାପ ଫୋପାଡ଼ି ଦେଇଥିଲେ, ହେଲେ ସେହି ବଇ ଆଜି ତାଙ୍କର କ’ଣ ଗାଁଟାଯାକର ମାବାପ ହୋଇ ବସିଲା । ଶତପଥୀଏ ମୁଣ୍ଡ ଟେକି ପାରିଲେ ନାହିଁ । ସମାଜରେ ନୂଆ କଥା ଦେଖାଗଲା । ଯିଏ ଛି ଛି କହୁଥିଲେ, ସେ ଆଜି ପ୍ରଶଂସାରେ ଭସାଇ ଦେଉଛନ୍ତି । ସମସ୍ତେ କହୁଛନ୍ତି, ‘‘ଧନ୍ୟଲୋ ରୂପେଇମା’–ଧନ୍ୟ ବଇ–ଧନ୍ୟ ମିଶ୍ରେ !’’

 

ସେଇଦିନଠାରୁ କ’ଣ ହେଲା କେଜାଣି, ଜାତିଆଣ ଘୃଣା ଉଠିଗଲା । ବାଲ୍ୟବିବାହ ଏକାବେଳକେ ବନ୍ଦ । ଯିଏ ସବୁ ପୁରୁଣା ବାଲ୍ୟବିଧବା ଥିଲେ ସଭିଏଁ ବିବାହ କଲେ । ପୃଥିବୀ ଥଣ୍ଡା ପଡ଼ିଗଲା । ସମାଜର ନିୟମ ବଦଳି ଗଲା । ବଇକୁ ଦେଖିଲେ ଲୋକେ କହନ୍ତି–

 

‘‘ଯାହାକୁ କହିବ ମର ମର

ସେହି ହେଉଥିବ ଫର ଫର ।’’

Image

 

ଛୁଇଁଲେ ସୁନା

 

କେତେ ଆକୁଳ ବିକଳରେ ପୁଅଟି ହେଲା ଯେ, ପେଟକୁ ମୁଠାଏ ଭଲ କରି ପାଇଲା ନାହିଁ । ସମ୍ପତ୍ତି ଯେତେବେଳେ ଫାଟି ପଡ଼ୁଥିଲା, ସେତେବେଳକୁ ଦିଅଁ ଦେବତାଯାକ ପଥର ପାଲଟିଗଲେ । ପୁଅଟିଏ ପାଇବା ପାଇଁ ପାଣିସୁଅ ପରି ଟଙ୍କା ପଇସାତକ କୁଆଡ଼େ ଉଭେଇଗଲା-। ଦିନ କେଇଟାରେ ମଣିଷ କୁତାର ହାଲ ହୋଇ ବସିଲା । ବାଟରେ ଘାଟରେ କୂଅ ପୋଖରୀ ଖୋଳା, ଦେଉଳ ତୋଳା, ଦିଅଁ ଦେବତାଙ୍କ ପାଖରେ ହୋମ ଯଜ୍ଞରେ ତ ହଜାର ହଜାର ଟଙ୍କା ସରିଲା, ଏତେବେଳକୁ ହାତରେ କଅଣ ଅଛି ଯେ, ପିଲାଟା ବାପ ମାଆଙ୍କର ଶରଧା ସୁଖ ଜାଣିବ ? ଡାଆଣୀ ଆଖିରେ ନିଆଁ ଲାଗିବାକୁ ଦଶ ବାର ବରଷ ହେଲା ପୁଅକୁ–ଭଲ କରି ଖଣ୍ଡେ ପିନ୍ଧିଲା ନାହିଁ, ନା ପେଟପୂରାକରି ଦିନେ ଗଣ୍ଡାଏ ଖାଇଲା ନାହିଁ ।

 

‘‘ନ ଥିଲା ଘରକୁ ଦେଲା ଦଇବ

ହାତରେ ନ ଥାଇ କୋଉ ଦରବ ।’’

 

ସାଧୁଆଟି ପିଲା ସିନା, କିନ୍ତୁ ବୁଦ୍ଧି ଭାରି ସରସ । ଥିଲା ନ ଥିଲା ସେ ବେଶ୍‍ ବୁଝିପାରେ; ଉପାସ ଭୋକକୁ ଖାତିର କରେ ନାହିଁ । ଯାହା, ବେଶ୍‍ ସୁଖଶାନ୍ତିରେ ରହେ । ବାପ ନିତେଇ ଯେତେବେଳେ କୋଉଠୁ କଅଣ କେତେ ଆଣିବ, ସବୁ ସମ୍ପତ୍ତି ତ ଧର୍ମ ଅର୍ଜନରେ ସରିଲା, ଏବେ ଖୋଜିଲେ ଲୋଡ଼ିଲେ କାହୁଁ ପାଇବ ? କରମ କଥା–ହେଲେ ପେଟ ଚାଖଣ୍ଡକ ତ ଛଟପଟ କରୁଛି, କେତେ ସମ୍ଭାଳି ରହିବ ।

 

ସାଧୁଆର ମାଆ ଦିନେ କାନ୍ଦି କାନ୍ଦି କହିଲା–‘‘ଆଚ୍ଛା ଧରମ କମେଇଲ ଯେ ସବୁ ସାରିଲ । ତୁମେ ଆମେ ସିନା ପେଟରେ ଓଦାକନା ଦେଇ ବସିବା–ପିଲାଟା କଅଣ ଏମିତି ଭୋକରେ ଶୋଷରେ ସୁକୁ ସୁକୁ ହେଉଥିବ ।’’ ନିତେଇ ବୁଢ଼ାର ଆଖିରୁ ଦୁଇ ଧାର ଲୁଅ ବୋହିପଡ଼ିଲା । ଭାବିଲା–‘‘ସତ କଥା, କଅଣ ନ ଥିଲା, କଅଣ ନ ହେଲା । ଧର୍ମଯାକ ଯାହା କମେଇଛି, ସବୁତକ କାହାକୁ ବିକ୍ରି କରିଦେବି–ଯାହା ମିଳିବ । ଜୀବନ ବଡ଼ ନା ଧର୍ମ ବଡ଼ ? ସଂସାରରେ ତ କେତେ ଲୋକ ଅଛନ୍ତି, ପଇସା ହାତରେ ଥାଇ ଧର୍ମ କରିପାରୁ ନାହାନ୍ତି । ମୋର ଧର୍ମତକ ବିକ୍ରି କରିଦେଲେ ବେଶୀ ଟଙ୍କା ଦେଇ ଲୋକେ କିଣିନେଇ ପାରିବେ ।’’

 

ନିତେଇ ଭାବି ଭାବି ଧର୍ମ ବିକ୍ରି କରିବାକୁ ଘରୁ ବାହାରିଲା । ସାଧୁଆର ମାଆ ମଧ୍ୟ ଏଥିରେ ମଙ୍ଗିଲା । ସାଙ୍ଗରେ ପଇସା ଅଧାଲାଟିଏ ନେବାକୁ କୋଉଠୁ ପାଇବ ? କୋଉ ଦିନର ଥିଲା ଚାଉଳ ଦୁଇ ମୁଠା । ସେତକ ସାଧୁଆ ମାଆ ନିତେଇ କାନିରେ ବାନ୍ଧିଦେଲା । ନିତେଇ ଯେମିତି ଘରୁ ଗୋଡ଼ କାଢ଼ିଛି, ସାଧୁଆର ମନଟା ଗୋଳେଇ ହେଲା । ସେ ମଧ୍ୟ ବାହାରିଲା ବାପ ସାଙ୍ଗରେ । ବୁଢ଼ା ମଣିଷ, ବାଟରେ ଘାଟରେ ଭଲ ଥାଏ, ମନ୍ଦ ଥାଏ; କେତେବେଳେ କୋଉ କଥା, ନିତେଇ ଆଉ ସାଧୁଆ ଆଗିଲି ପିଛିଲି ହୋଇ ବାହାରିଲେ ଧରମ ବିକ୍ରି କରିବାକୁ ।

 

ନିତେଇ ବାଟ ଚାଲି ଚାଲି ଥକିଗଲାଣି । ସେମିତିକିଆ କାହାକୁ ଭେଟିଲେ ସିନା ଧର୍ମ ବିକି କିଛି ପାଇବ ? ଘରୁ ଯେତେବେଳେ ଆସିଲାଣି, ପଇସା ନ ନେଇ ଫେରୁଛି ବା କିପରି ? ଚାଉଳ ଦୁଇମୁଠି ସେମିତି ଥାଏ—ନିତାନ୍ତ ବେଳକୁ ଖର୍ଚ୍ଚ କରିବା କଥା । ନିତେଇ ଯାହାକୁ ଦେଖେ କହେ । ହେଲେ ତା’ କଥାକୁ କେହି ପାସଙ୍ଗରେ ପକାନ୍ତି ନାହିଁ, କି ଖାତିର କରନ୍ତି ନାହିଁ; ବରଂ ଟାହୁଲି ଟାପରାରେ ଉଡ଼େଇ ଦିଅନ୍ତି । ତିନି ଦିନ ବିତିଗଲାଣି, ପେଟ ହାକୁ ହାକୁ, ପିଲାଟା ମଧ୍ୟ ଭୋକରେ ଆଉଟିପାଉଟି ହୋଇଗଲାଣି; ନିତେଇ ଆଉ ସମ୍ଭାଳି ପାରିଲା ନାହିଁ । ଗଛମୂଳ ଆଶ୍ରା କଲା । କେଉଁଠି ବସିଲେ, ସାଧୁଆ ଟିକିଏ ବାପକୁ ଘଷିମୋଡ଼ି ଦିଏ । ନିତେଇ ଚାଉଳ ଦୁଇମୁଠିକୁ କଷ୍ଟେମଷ୍ଟେ ଭାତ ରାନ୍ଧିଲା । ଚାଉଳ ଦି ମୁଠାର ଭାତ—କାହାର କୋଉ କଣକୁ ବା ପାଇବ ? ଯାହିତାହି କରି ଦିଟା ପେଟରେ ପୂରାଇବା କଥା ।

 

‘‘ଢୋକେ ପି’, ଦଣ୍ଡେ ଜୀ ।’’

 

ନିତେଇ ଭାତଗଣ୍ଡାକ ଦୁଇଟି ପତ୍ରରେ ବାଢ଼ିଦେଲା । ବାପ ପୁଅ ଦୁଇଜଣଯାକ ଭୋକରେ ଆତୁର ହୋଇ ତିନି ଦିନ ପରେ ଭାତ ଗଣ୍ଡାକ କେଡ଼େ ଆଗ୍ରହରେ ଖାଇବାକୁ ଯାଉଛନ୍ତି, ଏତିକି ବେଳକୁ ଗୋଟିଏ ବୁଢ଼ା ଗାଆଁରୁ କୁଆଡ଼ୁ ଆସି ହାଠାତ୍‍ ପହଞ୍ଚିଗଲା । ଥୁରୁ ଥୁରୁ ନୁଡ଼ୁ ନୁଡ଼ୁ, ଛୁଇଁ ଦେଲେ ପଡ଼ିଯିବ, ଜୀବନ ଆସୁଛି କି ଯାଉଛି । ବୁଢ଼ାଟି କହିଲା—‘‘ଭାଇ କଅଣ କରୁଛୁ ?’’ ନିତେଇ ଟିକିଏ ବିରକ୍ତ ହୋଇ କହିଲା, ‘‘ଚାରି ଦିନ ହେଲା ଖାଡ଼ା ଉପାସ । ଏଇ ଗଣ୍ଡାକ ଭାତ ପେଟରେ ପୂରେଇ ଦେବା କଥା, ଆଉ ପଚାରୁଛୁ କଅଣ ? ରହ, ପରେ କଥାବାର୍ତ୍ତା ହେବା ।’’ ବୁଢ଼ାଟି ଗୋଡ଼ତଳେ ଗଡ଼ିଗଲା । ବହୁତ କାକୁତିମିନତି ହୋଇ କହିଲା—‘‘ରହ ଭାଇ, ଆଜିକି ସାତ ଦିନ ହେଲା ମୋର ପେଟକୁ ଗୁଣ୍ଡାଟିଏ ଦାନା ସୁଦ୍ଧା ଯାଇନାହିଁ । ଏଇ ଦେଖ, ଏହିଠାରେ ପ୍ରାଣ ଠକ୍‍କିନି ଛାଡ଼ିଯିବ । ମତେ ଗଣ୍ଡାଏ ଭାତଦେ ଭାଇ ।’’ ନିତେଇ ମନେମନେ ଭାରି ବିରକ୍ତ ହେଲା । ଭାବିଲା ଆମେ ଏତେ ଧରମ କରି ତ ଏହି ଫଳ, ଆଉ ସେଥିରେ ମୁଁ ପଶୁଛି ? ତୁ ମଲେ କତେ, ଥିଲେ କେତେ; ମୋର କଅଣ ଗଲା ? ତୁ ତ ବୁଢ଼ା, ମୁଁ ପରା ଏହି ପିଲାଟି ପାଇଁ ବୁଲୁଛି । ନଇଲେ ମୋର ଜୀବନର ଆଉ ଆଶା କଅଣ ? ପିଲାଟିକୁ ଥୟ କରିଦେଲେ ମୁଁ ଖଲାସ । ତୋ କଥା ତୁ ବୁଝ । ମୁଁ ନ ଖାଇଲେ ପିଲାଟି ଖାଇବ ନାହିଁ । ପିଲାଟି ନ ଖାଇଲେ ତା’ର ଜୀବନ ଯିବ । ତେ କଥା କଅଣ ପଚାରୁଛୁ ?’’

 

ବୁଢ଼ା ବିଚରାଟି ନିରାଶାରେ ଚାହିଁ ରହିଥାଏ ଭାତ ପତରକୁ । ବାପ ପୁଅ ହାତ ଟେକି ବସିଥାନ୍ତି । ଟିକିଏ ଗଲା, ସାଧୁଆ ମନେମନେ ଭାବିଲା—‘‘ଏଇ ବୁଢ଼ାଟି ତ ସାତ ଦିନ ହେଲା ନ ଖାଇ ବଞ୍ଚି ରହିଛି, ଆଜି ନ ଖାଇଲେ ନିଶ୍ଚେ ମରିଯିବ । ଆମ୍ଭେମାନେ ତ ଜମା ଚାରିଦିନ ହେଲା ଉପାସ ଅଛୁ । ଆଉ ତିନି ଦିନ ତ ବେଶ୍‍ ରହିପାରିବୁ ? ସେତେବେଳକୁ ଦେଖାଯିବ । ବର୍ତ୍ତମାନ ଏହି ବୁଢ଼ାକୁ ମୋର ଭାତତକ ଦେଇ ଦିଏ ।’’ ସାଧୁଆ ଝଟ୍‍କରି ଭାତତକ ବୁଢ଼ାକୁ ଖାଇବାକୁ ଦେଲା । ବୁଢ଼ା ମଧ୍ୟ ସାଙ୍ଗେ ସାଙ୍ଗେ ଏକାଥରକେ ସେତକ ଖାଇଦେଲା । ନିତେଇ ଥିଲା ଥିଲା, ତା’ର ଭାତ ପତରଟିକୁ ସାଧୁଆ ଆଡ଼କୁ ବଢ଼େଇ ଦେଲା । ସାଧୁଆ ଝଟ୍‍କରି ନିଜତକ ମଧ୍ୟ ବୁଢ଼ାକୁ ଖାଇବାକୁ ଦେଲା । ବୁଢ଼ା ସବୁ ଭାତଯାକ ଖାଇଦେଇ ଦମ୍ଭ ଧରିଲା, ପାଟିରୁ କଥା ବାହାରିଲା । ସାଧୁଆକୁ ଧନ୍ୟ ଧନ୍ୟ କରି କୁଆଡ଼େ ଚାଲିଲା । କେହି ତା’ର ପତ୍ତା ପାଇଲେ ନାହିଁ ।

 

ନିତେଇର ହଂସା ଉଡ଼ିଲାପ୍ରାୟ । ସାଧୁଆ କିନ୍ତୁ ବେଶ୍ କଥାବାର୍ତ୍ତା କରୁଥାଏ । ବାପକୁ ଖୁବ୍‍ ଦମ୍ଭ ଦେଉଥାଏ । ସେଇଥିରେ ନିତେଇର ପ୍ରାଣ ଥାଏ ।

 

ଆଉ କିଛି ଦୂର ଗଲେ; ଗୋଟିଏ ମହାଜନକୁ ଭେଟିଲେ । ସେ ଭାରି ପଇସାବାଲା–ହେଲେ ଧର୍ମ କର୍ମ କିଛି କରିପାରୁ ନାହିଁ । କୋଉଠୁ ମିଳିଗଲେ ଶହେ ଷାଠିଏ ପକେଇଦେଇ ଧର୍ମ କିଣି ପକେଇବାକୁ ଇଚ୍ଛା । ମହାଜନ ଆଉ ନିତେଇର କାରବାର କଥାବାର୍ତ୍ତା ପଡ଼ିଲା । ମହାଜନ ପଚାରିଲା–‘‘ଆଚ୍ଛା, ତମର କଅଣ କଅଣ ଧର୍ମ ଅଛି କହିଲ ?’’ ନିତେଇ ତା’ର କୂଅ ପୋଖରୀ ଖୋଳା, ଦେଉଳ ତୋଳା, ହୋମ ଯଜ୍ଞ ଇତ୍ୟାଦି କଥା କହିଗଲା । ମହାଜନ ମୁହଁ ମୋଡ଼ିଦେଇ କହିଲା, ‘‘ଏଗୁଡ଼ାକ ମୋର କଅଣ ହେବ ? ଏମିତିକିଆ ଧରମ ମୋର ଦରକାର ନାହିଁ । ଆଉ କଅଣ ଅଛି ?’’ ନିତେଇର ହଲକ ଶୁଖିଗଲା, କହିଲା, ‘‘ଭାଇ, ଆଉ ତ କିଛି ନାହିଁ । ଏହାଠାରୁ ବଳି ଆଉ କଅଣ କାମ ଅଛି ଯେ, ମୁଁ କରିଥାନ୍ତି ?’’ ମହାଜନ କହିଲା, ‘‘ଥାଉ ତେବେ, ଆଉ କେଉଁଠି ଦେଖ୍‍, ମୋ କଥା ପଟିବ ନାହିଁ । ଆଚ୍ଛା, ଏ ପିଲାଟିର କିଛି ଧର୍ମ ନାହିଁ ?’’ ନିତେଇ ହସି ହସି କହିଲା, ‘‘ସେ ତ ପିଲାଟା, ତା’ର କଅଣ ଅଛି ଯେ ଧର୍ମ କରିବ ? ପେଟକୁ ତ ମୁଠାଏ ଖାଇବାକୁ ପାଉ ନାହିଁ, କାଲି ସକାଳର ଛୁଆଟା, ସେ କଅଣ ଧର୍ମ କରିବ ?’’ ସାଧୁଆ କହି ଉଠିଲା, ‘‘ମହାଶୟ, ମୋର କିଛି ନାହିଁ, କେବଳ କାଲି ଆମ୍ଭେମାନେ ଚାରି ଦିନରେ ଗଣ୍ଡାଏ ଗଣ୍ଡାଏ ଭାତ ଖାଇବାକୁ ଯାଉଥିଲୁ, ଆଉ ଜଣେ ବୁଢ଼ା ସାତ ଦିନ ଉପାସରେ ମାଗିବାରୁ ତାକୁ ସବୁତକ ମୁଁ ଦେଇଦେଲି ଏବଂ ଆମ୍ଭେମାନେ ଏପର୍ଯ୍ୟନ୍ତ ଉପାସ ଭୋକରେ ଅଛୁ । ଏତିକିମାତ୍ର ମୋର କାମ ।’’ ମହାଜନ ଭାରି ଖୁସିଟାଏ ହୋଇଗଲା, କହିଲା, ‘‘ପ୍ରକୃତ ଧର୍ମ କମେଇଛି ଏହି ପିଲାଟି । ଏତକ ଯଦି ମତେ ଦେବ, ତେବେ ମୁଁ ନେବାକୁ ରାଜିଅଛି ?’’ ନିତେଇ ଆଉ ସାଧୁଆ ଏକାବେଳକେ ହଁ ଭରିଲେ । ମହାଜନ ତ ଜବାବ ଦେଇଗଲାଣି ! ହେଲେ ସେ ଭାବି ଦେଖିଲା ଯେ, ଏ ଧର୍ମ କିଣିବାକୁ ଗଲେ ତା’ର ସମ୍ପତ୍ତିତକ ସବୁ ଅଣ୍ଟିବ କି ନାହିଁ, ସନ୍ଦେହ । ଯାହାହେଉ ମହାଜନ କାନିରେ କଅଣ ବାନ୍ଧିଥିଲା କେଜାଣି । ସେତକସବୁ ବୁଜୁଳି ସୁଦ୍ଧା ସାଧୁଆ ହାତକୁ ବଢ଼େଇ ଦେଲା । କହିଲା, ‘‘ଭାଇ, ଉଚିତ ମୂଲ୍ୟ ଦେଇ ନ ପାରି ମୁଁ ତୁମ୍ଭମାନଙ୍କଠାରେ ଋଣୀ ହୋଇ ରହିଲି ।’’ ଏତିକି କହିଦେଇ ମହାଜନ କୁଆଡ଼େ ଅନ୍ତର୍ଦ୍ଧାନ ହେଲା ।

 

ବାପପୁଅ ଦେଖି ଅବାକ୍‍, ଉଭୟଙ୍କର ପେଟ ପୂରିଗଲା ପରି ଜଣାଗଲା । ଦେହରେ ବେଶ୍‍ ବଳ ହେଲା । ସାଧୁଆ ବୁଜୁଳିଟି ବାପକୁ ଦେଲା । ଉଭୟେ ଘରକୁ ଫେରିଲେ । ବାଟରେ ନିତେଇର ମନ ଥୟ ନାହିଁ । ସେ ଟିକିଏ ଲୁଗା କାଢ଼ି ଦେଖିଲା, ପୁଟୁଳି ଭିତରେ କଅଣ ଅଛି । ଦେଖିଲାବେଳକୁ ପଥର ମୁଣ୍ଡାଟାଏ । ଯେମିତି ଥିଲା ସେମିତି ବାନ୍ଧିଦେଇ ବିରକ୍ତ ହୋଇ ତଳେ ପକେଇଦେଲା । ତା’ ମନ ଦିକଡ଼ା ହୋଇଗଲା । ମହାଜନ ଠକି ଦେଲା—ଦୁନିଆ ତ ଠକ, କାହାକୁ କଅଣ କହିବ ? ସାଧୁଆ କିନ୍ତୁ ତାକୁ ଗୋଟାଇ ନେଇ ଗଣ୍ଠିଧନ କରି ଜାକି ରଖିଲା । ବାପକୁ ବୋଧ ଦେଇ ଅନେକ କହିଲା ।

 

ନିତେଇ ଆଉ ସାଧୁଆ ଘରେ ପହଞ୍ଚିଲେ । ବୁଢ଼ୀ ଚାତକ ପରି ଚାହିଁ ବସିଛି । ସାଧୁଆ ହାଠାତ୍‍ ସେହି ପୁଟୁଳିଟି ତା’ର ମାଆ ହାତକୁ ବଢ଼େଇ ଦେଲା । ନିତେଇ ଖାଲି ହାତରେ ଫେରିଛି ବୋଲି ଚୁପ୍‍କରି ଘରେ ଲୁଚିଲା । ବୁଢ଼ୀ ଫିଟେଇ ଦେଖିଲା ବେଳକୁ ସୁନା ମୁଣ୍ଡାଟାଏ । ସେ ଆନନ୍ଦରେ ଭାସିଗଲା । ବାପପୁଅ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ସବୁକଥା ଜଣା ପଡ଼ିଗଲା ।

 

ଯେତେ ଜୋର କାମ କର ପଛକେ ପରର ଦୁଃଖରେ ଦୁଃଖୀ ନ ହେଲେ, ପରର ଆତ୍ମାକୁ ନ ଚିହ୍ନିଲେ କିଛି ଫଳ ନାହିଁ । ସାଧୁଆର କିଛି ନ ଥିଲେ କଅଣ ହେଲା, ତା’ର ମନ ଘେନି ଫଳ ଫଳିଲା । ମୁହୂର୍ତ୍ତକରେ କୋଟି ଧର୍ମ ଅର୍ଜନ କଲା, ତାକୁ ପୁଣି ବିକ୍ରି କରି କୋଟି ସମ୍ପତ୍ତି ପାଇଲା, ସେଥିରେ ଆହୁରି ଧର୍ମ ଅର୍ଜନ କଲା ।

 

‘‘ଆତ୍ମା ଚିହ୍ନିଲେ ରତ୍ନ ମିଳେ,

ସ୍ୱାର୍ଥ ଚିହ୍ନିଲେ ପ୍ରାଣୀ ମରେ ।’’

Image

 

କାଳ ପଶିଲା ଲଟାରେ

 

କାଳ ଆସି ଲଟାରେ ପଶିଲା ।

 

ଭଲା କାଳ ଆସିଲା ଯେ, ଟୋକାଟାକଳାଙ୍କ ରାଇଜ ହେଲା । ତା’ ନ ହେଲେ ଛତରଖାଇ ପୁନେଇ ବାଉରାଣୀ ଟୋକୀଟା ଆଉ ଛକଡ଼ି ଷଡ଼ଙ୍ଗୀ ଶାସନୀ ବ୍ରାହ୍ମଣ ଘରର ପୁଅ ମଣିଆ—ଧୁଆମୂଳା ଅଧୁଆମୂଳା ସବୁ ସମାନ । ଧରମ ସହିବଟି କି ?

 

‘‘କାହିଁ ରାଣୀ କାହିଁ ଚନ୍ଦ୍ରକାଣୀ,

କାହିଁ ହାତୀ ଦାନ୍ତ କାହିଁ ବାଉଁଶକଣି ।’’

 

ଛି ଛି ଛି, ଆଉ ପାରିହେବ ନାହିଁ । ଭଲା ଯୁଗ ହେଲା, ଜାତି ନଷ୍ଟ, କୁଳ ନଷ୍ଟ. ଗାଁ ନିନ୍ଦା, ରାଜ୍ୟ ନିନ୍ଦା. ଦେଶ ନିନ୍ଦା ।

 

‘‘କ’ଣ କି, କାହିଁକି ପିନ୍ଧିବା ଲୁଗା ମୁଣ୍ଡରେ ବାନ୍ଧୁଛ ମ ? ଏତେ ଋଷି ଜଟାଛିଣ୍ଡା କଥା କାହା ଉପରେ ? କୋଉ ଗୁଡ଼ଘର ଜୁର ହୋଇଗଲା କି ?’’

 

‘‘କଅଣ କହିବି, ଶୁଣିଲଣି ନା—ଛକଡ଼ି ଷଡ଼ଙ୍ଗୀ କହିଲେ ତିନି ପୁର କମ୍ପୁଛି । କିଏ ନ ମାନେ କି ? ଆଉ ଆମ ପୁଅ ମଣିଆ କୁଆଡ଼େ ଆମରି ମୂଲିଆ ପଦିଆ ଭୋଇର ଝୁଅ ସୁନେଈ ସାଙ୍ଗରେ ଏକାଠି ଇସ୍କୁଲରେ ପାଠ ପଢ଼ିବ । ପଲ ପଲ ହୋଇ ବଡ଼ ଇସ୍କୁଲ ଟୋକାଏ ଆସି ଗାଁ ଗାଁରେ ପଶି ମତାଉଛନ୍ତି । ଏଥିରେ ଭଲା କାହାର ଦେହ ସହିବ, କହିଲୁ ମଣିଆବୋଉ !’’

 

‘‘ଏଁ ସେଇଟା କିଏ ଲୋ ? ସେଇଟା କି ପାଠ ପଢ଼ିବ ମ ? ସେ କେତେକର, ଏ କେତେକର, ଏକାଠି ବସି ପାଠ ପଢ଼ିବେ । ଦୁନିଆଟା କ’ଣ ଓଲଟି ପଡ଼ିବ କି ?

 

‘‘ବଡ଼ ବଡ଼ ଗଲେ ଫସର ଫାଟି

ସାନ ଆସିଲେ ବେଶର ବାଟି ।’’

 

‘‘କାହିଁକି ମ, ଏତେ ଡର କାହିଁକି ? ତା’ର ପିତ୍ତ କେତେ ? ଗୋଇଠା ଗୋଟାକୁ ଜୀବନ ନାହିଁ, ଚାତର ଦେଖାଉଛି । ଏଥିପାଇଁ ଏତେ ଭାବନା କାହିଁକି ? ବାଉରାଣୀ ଟୋକୀଟା, ଛାଇ ପଡ଼ିଲେ ସାତଥର ଗାଧୋଇବାକୁ ପଡ଼ୁଛି ସେ ପୁଣି ମଣିଆ ସାଙ୍ଗରେ ପାଠ ପଢ଼ିବ ! କୋଉ ଅନ୍ଧ ଏ କଥା କହୁଛି ମ ?

 

‘‘କାହା ସଙ୍ଗେ କିଏ ସରି ହେଉଛି

ହଂସ ସଙ୍ଗେ ବଗ ପାଣି ପିଉଛି ।’’

 

ମଣିଆ ବୋଉର କଥାରେ ଛକଡ଼ି ଷଡ଼ଙ୍ଗୀଏ ଟିକିଏ ଦମ୍ଭ ଧରିଲେ । ଭାବିଲେ ଆଜିକାଲି ପାଠପଢ଼ୁଆ ଟୋକାଏ ଯେମିତି ମାତିଛନ୍ତି, ବଳ ପାଉ ନାହିଁ । ସଭିଏଁ ଏକମେଳ ହୋଇଛନ୍ତି । ଜାତି ଅଜାତି ବାରଣ ନାହିଁ, ଟୋକା ଟୋକୀର ଫରକ ନାହିଁ । ଯିଏ ପାରି ସିଏ ଏକାଠି ପାଠ ପଢ଼ିବେ । ଅପାଠୁଆ ହୋଇ କେହି କୁଆଡ଼େ ରହିବେ ନାହିଁ । ସତେ ଯେମିତି ପୃଥିବୀଟାକୁ ଟେକି ଧରିବେ । ଭଲା କାଳ ହେଲା ।

 

‘‘କାଳ ହେଉଛି ଉତପାତ

ବିଲେଇ କହୁଛି ଭାଗବତ ।’’

 

ଷଡ଼ଙ୍ଗୀଏ ରାଗରେ ଜର ଜର । ହଠାତ୍‍ କେତେଗୁଡ଼ିଏ ପିଲାଙ୍କୁ ଦେଖି କହିଲେ–‘‘ଆରେ ଏମିତି ରୀତି କାହିଁକି ଧରୁଛ ?’’ ତମେ ସବୁ କ’ଣ ଉତୁରୁଛ କି ? ଭଲ ଗତି ଅଛି ତ ଆଉ ଯୁଆଡ଼େ ଯାହା କରୁଛ କର ପଛକେ, ଏ ଶାସନ ମଉଜାରେ ସେ କଥା ପଟିବ ନାହିଁ ଜାଣ-?

 

‘‘ଦୁଧ ଉତୁରିଲେ ଚୁଲିକି

ମଣିଷ ଉତୁରିଲେ ଗାତକୁ ।’’

 

‘‘ଅତି ବାହାପିଆ କଥା ଚଳିବ ନାହିଁ । ଯଦି ଦେଶର ମଙ୍ଗଳ କରିବାକୁ ଇଚ୍ଛା, ତେବେ ଯେପରି କାମ କଲେ ଲୋକେ ସନ୍ତୁଷ୍ଟ ହେବେ ସେମିତି କର । ଯିଏ ଯହିଁକି ଯୋଗ୍ୟ ସେହିଥିରେ ମତେଇଲେ ହେବକି, ନା ମନଇଚ୍ଛା ଯାହା କରିଯିବ । ଯେତେବେଳେ ଖାଲରେ ପଡ଼ିବ, କିଏ ଉଠେଇବ ବାପ, କହିଲ ?’’

 

‘‘ହୋଇଲା କଥାରେ ଦେବଟି ହାତ

ନୋହିବା କଥାରେ ଖାଇବ ନାତ ।’’

 

ପିଲାଏ ବଡ଼ ସରଳଭାବରେ ହସି ହସି କହିଲେ—

 

‘‘ଗୋସେଇଁ, ଏ ଯୁଗରେ ଆଉ ସେ କଥା କ’ଣ ଅଛି ? ଜାତି ଅଜାତି କରି ଉଚ୍ଚ ନୀଚ ହୋଇ ତ ଆମର ଏ ଦୁର୍ଦ୍ଦଶା ! ଆଉ କେତେ କାଳଯାଏ ଏପରି ହୋଇଥିବ ? ସେ କାଳ ପଖାଳ ଗଲାଣି ପରା ! ଆପଣ ତ ଜାଣିଥିବେ—

 

‘‘ହାଟ, ଘାଟ, ବାଟ, ନାଟ,

ମଠ, ପୀଠ, କୋଠ, ପାଠ ।’’

 

—ଏ ସବୁରେ ସାନ ବଡ଼, ସ୍ତ୍ରୀ ପୁରୁଷ, ଜାତି ଅଜାତି ଇତ୍ୟାଦିର ବାରଣ ନ ଥାଏ । ବରଂ ଏ ସବୁରେ ବାରଣ କଲେ ଅଧର୍ମ ହୁଏ । ଆପଣଙ୍କ ପରି ଲୋକ ତ ଏପରି କହୁଛନ୍ତି, ଆଉ କାହାକୁ କ’ଣ କହିବା ! ଏବେ ଛାଡ଼ନ୍ତୁ ସେସବୁ କଥା ।’’

 

ଷଡ଼ଙ୍ଗୀଙ୍କ ମୁଣ୍ଡରେ ଏସବୁ କଥା ପଶୁଛି କୋଉଠୁ ? ରାଗରେ ତମ ତମ ହୋଇ ଘରକୁ ପଳାଇଲେ । ଦେଖାଯାଉ କେଉଁ ପାଣି କୁଆଡ଼େ ଯାଉଛି । ରାତି ନ ପାହୁଣୁ ଗାଁ ଇସ୍କୁଲରେ ପିଲାମାନେ ହାଜର ହୁଅନ୍ତି । ଛକଡ଼ି ଷଡ଼ଙ୍ଗୀ ଯେତେ ମନାକଲେ ମଧ୍ୟ ମଣିଆର ଏକ ଜିଦ୍‍—ପଢ଼ିବାକୁ ଗାଁ ଇସ୍କୁଲକୁ ଯିବ । ‘‘ଶଏ ହାଣ୍ଡି ଏକ ଢିମା ।’’ ସୁନେଈ ବାଉରାଣୀ ଟୋକୀଟା ମଧ୍ୟ କଅଣ ବୁଝିଛି କେଜାଣି ଧାଇଁଛି ପାଠ ପଢ଼ିବାକୁ । ବାପ ପଦିଆ ଭୋଇ ଷଡ଼ଙ୍ଗୀଙ୍କ ଦାଉରେ ଯେତେ ଧମକ ଚମକ ଦେଲେ ସୁଦ୍ଧା ସୁନେଈ ଇସ୍କୁଲ ଆସିବା ନ ଛାଡ଼େ । ମଣିଆ କାନେ କାନେ ଶିଖେଇଛି—ପାଠ ପଢ଼ିବାକୁ । ତେବେ ଡର କାହାକୁ ?

 

‘‘ପିଆଦା ପାଇଛି ଚିଠି

ଲାଙ୍ଗୁଳ ଦେଉଛି ପିଟି ।’’

କିନ୍ତୁ ଛକଡ଼ି ଷଡ଼ଙ୍ଗୀଏ ଏଥର ଦେଖିଲା କାମ ନ କରି ଛାଡ଼ୁ ନାହାନ୍ତି । ଛାଟ ଖଣ୍ଡେ ଧରି ସୁନେଈକୁ ଛେଚାଟାଏ ଦେଲେ ଭୟରେ ସେ ଆଉ ଇସ୍କୁଲ ଆସିବାକୁ ମଙ୍ଗିବ ନାହିଁ । ଏକାଥରକେ କଣ୍ଟା ଯିବା ରାସ୍ତା ସଫା—

‘‘ମୂଳୁ ମାଇଲେ ଯିବ ସରି

ଦେବଙ୍କ ସଙ୍ଗେ କିମ୍ପା କଳି ?’’

ହେଲେ ମଣିଆ ଆଗରୁ ଏ କଥା ବେଶ୍‍ ବୁଝି ନେଇଥିଲା; କିନ୍ତୁ କାହାକୁ କିଛି ନ କହି ଚୁପ୍‍ଚାପ୍‍ ଥାଏ । ଅଣଉଦିଆରୁ ଗୋଟି ଗୋଟି ହୋଇ ପିଲାଏ ଆସିଲେ । ଛକଡ଼ି ଷଡ଼ଙ୍ଗୀଏ ଧଡ଼ପଡ଼ ହୋଇ ଉଠି ଛାଟ ଖଣ୍ଡେ ଧରି ସ୍କୁଲରେ ହଠାତ୍‍ ହାଜର । ଗୋଟିଏ ଯୋଡ଼ିଏ ପିଲା ଆସି ପାଠ ପଢ଼ା ଆରମ୍ଭ କରିଛନ୍ତି କି ନାହିଁ, ଷଡ଼ଙ୍ଗୀଏ ଗୋଟିଏ ପିଲାର ମୁଣ୍ଡରେ ଲୁଗା ଦେଖି ଭଡ଼ ଭଡ଼ କରି ଆଖିବୁଜା ପିଟାଟାଏ ପିଟି ପକେଇଲେ । ରାଗରେ କିଛି ସୁର ରହିଲା ନାହିଁ । ପିଟା ଚାଲିଛି—

‘‘ହାତରୁ ଖସିଲେ ଅଣବାହୁଡ଼ା ।’’

ପିଲାଟା ଭୋ ଭୋ ରଡ଼ି ଛାଡ଼ିଛି । ଦେଖି ପକେଇଲାବେଳକୁ ସୁନେଈ ନା ଫୁନେଈ; ପୁଅ ମଣିଆ । ଦେହଯାକ ମାଡ଼ରେ ନୋଳା ଫାଟିଗଲାଣି, ରକ୍ତବୁହା ହୋଇଗଲାଣି । ମାଷ୍ଟରେ ଆଉ ଗାଁ ଲୋକେ ପାଟି ଶୁଣି ହାବୁଡ଼ି ଗଲେ । ଭଲକରି ବୁଝୁବୁଝୁ ମଣିଆ ଆଗରୁ ସବୁ ଜାଣିପାରି ସୁନେଈକୁ ମାଡ଼ରୁ ତାରିବାପାଇଁ ବାହାନା କରି ବାଟରେ ଖଡ଼ି ଖୋଜିବାକୁ ସୁନେଈକୁ ପଠାଇ ଦେଇଛି । ମୁଣ୍ଡରେ ଲୁଗା ପକାଇ ସୁନେଈ ପରି ବସିଥିଲା । ଷଡ଼ଙ୍ଗୀଙ୍କର ଅକଲ ଗୁଡ଼ୁମ୍‍ । ଲାଜରେ ଆଉ ମୁଣ୍ଡ ଟେକିବେ କ’ଣ, ଏକମୁହାଁ ହୋଇ ବାଟେ ବାଟେ ଘରକୁ ସଳଖିଲେ । ସଭିଏଁ ତାଟକା ହେଲେ । ସୁନେଈ ବାହୁଡ଼ିଆସି ସବୁ ଶୁଣିଲା, କାନ୍ଦି ପକେଇଲା । ହେଲେ ତା’ର ଉପାୟ ନାହିଁ ।

 

ଷଡ଼ଙ୍ଗୀଏ ଘରକୁ ଯାଇ ଦୁଇଗୁଣ କୋପାନଳ ହୋଇ ରାଗରେ ରକତ ଚାଉଳ ଚୋବାଉଛନ୍ତି କିନ୍ତୁ ଉପାୟ କ’ଣ ? ମଣିଆ ହେଉଛି—

 

‘‘ନାଟର ଗୁରୁ ଗୋବର୍ଦ୍ଧନ ।’’

 

ଆପଣା ସୁନା ତ ଭେଣ୍ଡି, କହିବେ କାହାକୁ ? ଷଡ଼ଙ୍ଗୀଏ କିନ୍ତୁ ଛାଡ଼ିଲାବାଲା ନୁହନ୍ତି । ଭାବି ଭାବି ସ୍ଥିର କଲେ, ‘‘ଯାହା ତ ହେଲା ହେଲା । ସନ୍ଧ୍ୟାବେଳକୁ ମଣିଆ ସ୍କୁଲରୁ ଫେରିଲେ ପୁଣି ଆଚ୍ଛାକରି ଟାଙ୍କେ ନ ପିଟିଲେ ହେବ ନାହିଁ । ମନକଥା ମନରେ ଥାଏ, ଘରର ସମସ୍ତଙ୍କୁ ଡାକି ହୁକୁମ ଦେଲେ, ‘‘ଆଜି ମଣିଆ ଫେରିଲେ ଘରକୁ ଯେପରି ନ ପଶେ । ସେ ଆସି ଗୁହାଳ ପିଣ୍ଡାରେ ଥିବ । ପ୍ରାୟଶ୍ଚିତ୍ତ ହେଲେଯାଇଁ ଘରକୁ ଆସିବ । ଦେଖ ସାବଧାନ, ନଚେତ୍‍, ସାତ ଘର ନିଆଁ ଲଗାଇ ଦେବି ।’’

 

‘‘ଢୋଲ ବାଇଦ କୋଶେ

ତୁଣ୍ଡବାଇଦ ସହସ୍ର କୋଶ ।’’

 

ସଭିଏଁ ହୁକୁମକୁ ଟାକି ରହିଲେ । ମଣିଷ ବୋଉ ଝଟ୍‍କରି ସ୍କୁଲକୁ ଖବର ଦେଲା । ସଭିଏଁ ଜାଣିଲେ; କିନ୍ତୁ ମଣିଆର ହୋଲେ ନା ଡୋଲେ । ସେ କହେ, ଉଚିତ କାମରେ ଡର କ’ଣ-?

 

‘‘ଡରୁ ଯେବେ କରୁ କାହିଁକି

କରୁ ଯେବେ ଡରୁ କାହିଁକି ?’’

 

ଯିଏ ଯେମିତି ଶୁଣି ଚୁପ୍‍ଚାପ୍‍ ହୋଇ ରହିଲେ—ଦେଖାଯାଉ କ’ଣ ହେଉଛି । ସୁନେଈ କିନ୍ତୁ ମନେମନେ କେତେ କ’ଣ ଭାବିଗଲା । ମନ କଥା ମନେଥାଏ, ସନ୍ଧ୍ୟାବେଳେ ଇସ୍କୁଲରୁ ଛୁଟି ହେବା ଆଗରୁ ମାଷ୍ଟରଙ୍କୁ କହି ଚାଲିଗଲା । ମଣିଆ ଘରେ ପହଞ୍ଚିବା ପୂର୍ବରୁ ଟିକିଏ ମାଛି ଅନ୍ଧାର ହୋଇଗଲାଣି । ମୁଣ୍ଡରେ ଲୁଗା ନାହିଁ, ଭିଡ଼ିଭାଡ଼ି ହୋଇ ସୁନେଈ କାହୁଁ ଆସିଲାପରି କୁଙ୍କୁରିକାଙ୍କୁରି ହୋଇ ଅନ୍ଧାରରେ ଷଡ଼ଙ୍ଗୀଙ୍କ ଗୁହାଳ ପିଣ୍ଡା କୋଣରେ ଠିଆହୋଇ ରହିଲା ।

 

ଷଡ଼ଙ୍ଗୀଙ୍କ ମନ କାହିଁରେ ଲାଗୁନାହିଁ । କେତେଥର ଦାଣ୍ଡକୁ ଆସି ଅନେଇ ଫେରିଗଲେଣି । ଶେଷରେ ଆସି ଦେଖିଲେ କିଏ ଗୋଟାଏ ଗୁହାଳ ପିଣ୍ଡାରେ ଠିଆ ହୋଇଛି । ବଡ଼ ପାଟିଟାଏ କରି ପଚାରିଲେ, ‘‘ମଣିଆ କିରେ ?’’ ଅତି କ୍ଷୀଣ ସ୍ୱରରେ ଉତ୍ତର ମିଳିଲା, ‘ହୁଁ ।’ ଷଡ଼ଙ୍ଗୀଏ ତ ତାତି କରି ଥିଲେ, ବାଣୁଆ ଶିକାର ପାଇଲାପରି ଝଟ୍‍କରି ବେତ ଖଣ୍ଡେ ଧରି ଦୌଡ଼ିଗଲେ । ଦେଖୁ ଦେଖୁ ତାଳୁରୁ ତଳିପାଯାଏ ଗୋରୁ ପରି ବାଡ଼େଇ ପକେଇଲେ । ମଲା ମୁଣ୍ଡ ଉତ୍ତରକୁ ନଇଲେ ପଶ୍ଚିମକୁ ।

 

‘‘ପଥ ସୁମରି ପିତାଘର ଯିବୁ

ଆଉ ଅଯୋଧ୍ୟା ମନ ନ କରିବୁ ।’’

 

ମାଆର ମନ କେତେକେ ସମ୍ଭାଳେ । ମଣିଆବୋଉ ହଠାତ୍‍ ଦୌଡ଼ିଯାଇ ପିଲାଟାକୁ କୁଣ୍ଢେଇ ପକେଇ କୋଳକୁ ଆଉଜାଇ ନେଲା, ଆଉ ଷଡ଼ଙ୍ଗୀଙ୍କ ହାତରୁ ବେତଖଣ୍ଡ ଛଡ଼ାଇ ଫୋପାଡ଼ି ଦେଲା । କାନ୍ଦ ସାଙ୍ଗେ ଶବ୍ଦ ହେଲା, ‘ଛୁଇଁବ, ସାଆନ୍ତାଣୀ;’ ସଭିଏଁ ଅବାକ୍‍ । ଦେଖ ଦେଖ, ମଣିଆ ନୁହେଁ, ସୁନେଈ ବାଉରାଣୀ ଟୋକୀଟା । ସଂସାର ସରିଗଲା, ମଣିଆବୋଉ ‘ଛି’ ବୋଲି ଛାଡ଼ିଦେଇ ଘରକୁ । ଆଉ ଷଡ଼ଙ୍ଗୀଏ ଅବାକ୍‍ ହୋଇ ଠିଆହେଲେ । ସୁନେଈ ଦେହ ମୁଣ୍ଡ ଆଉଁଷି କାନ୍ଦି କାନ୍ଦି ଘୁଞ୍ଚିଗଲା । ସେହିକ୍ଷଣିକା ମଣିଆ ହାଜର । କଥାଟା ବେଶ୍‍ ବୁଝିନେଲା । ସୁନେଈକୁ ଠେଲି ଠେଲି ଘରକୁ ବିଦାକରିଦେଲା । ଷଡ଼ଙ୍ଗୀଙ୍କର ସବୁ ବୁଦ୍ଧିଯାକ ଚୁଲିକି ଗଲା, ସାପ ପେଡ଼ିରେ ପଶିଲା ପରି ମୋଡ଼ିମାଡ଼ି ହୋଇ ଷଡ଼ଙ୍ଗୀଏ ଘରକୁ ଗଲେ, ଆଉ ବଳ ନାହିଁ ।

 

‘‘ଜୋକ ମୁହଁରେ ଲୁଣ

ଲୁହା ମୁହଁରେ ଶାଣ ।’’

 

ଷଡ଼ଙ୍ଗୀଙ୍କ ମଗଜରେ ଏତେବେଳକୁ କଥାଟା ଠିକ୍‍ ପଶିଲା । ଏବେ ସେ ବୁଝିପାରିଲେ ଯେ, ଦେଶ-କାଳ-ପାତ୍ରକୁ ଦେଖି ଚଳିବାକୁ ହେବ । ଏକଜିଦିଆ କଥା ଚଳିବ ନାହିଁ । ସଭିଏଁ ଯେତେବେଳେ ଏକା ଡଙ୍ଗାରେ ବସିବାକୁ ଯାଉଛନ୍ତି, ଆଉ ଆପତ୍ତି କ’ଣ ? ଷଡ଼ଙ୍ଗୀଏ ମଣିଆକୁ ଅବାଧରେ ଘରକୁ ଡାକି ଖିଆପିଆ କରାଇଲେ । ପଦିଆ ଭୋଇକୁ ଡାକି ମଧ୍ୟ ବୋଧ କରେଇଲେ, ସୁନେଈ ପାଇଁ ଖାଇବାକୁ ପଠାଇଦେଲେ । ଏବେ ସବୁ ଭଲ । ଛକଡ଼ି ଷଡ଼ଙ୍ଗୀଏ ଯେତେବେଳେ ମୋଡ଼ିମାଡ଼ି ହୋଇ ରହିଲେ, ଆଉ ଏ ଖଣ୍ଡମଣ୍ଡଳରେ କାହା ଜିଭରେ ହାଡ଼ ଅଛି ଯେ, ଏଥିରେ ବାଧା ଦେବ । ରାସ୍ତା ପରିଷ୍କାର ।

 

ଏଣିକି ଜାତି ଅଜାତିର ପୁଅ କ’ଣ, ଝିଅ କ’ଣ, ଏପରିକି ବୁଢ଼ାହଡ଼ା ପର୍ଯ୍ୟନ୍ତ ଲେଖାପଢ଼ା ଆରମ୍ଭ କଲେ, ନିତାନ୍ତ ଛୋଟ ଜାତିର ପିଲାମାନେ ମଧ୍ୟ ପଢ଼ିବାକୁ ଆଗୁସାର ହେଲେ-

 

ସେ ଅଞ୍ଚଳର ସବୁ ଲୋକେ ଲେଖାପଢ଼ା ଶିଖିଗଲେ, ନାଁ ଦସ୍ତଖତ କରିପାରିଲେ । ଘରେ ଘରେ ଗୀତା, ଭାଗବତ ପଢ଼ାହେଲା । ଭଲମନ୍ଦ ଜାଣିବାର ଜ୍ଞାନ ହେଲା, ବୁଦ୍ଧିଶୁଦ୍ଧି ହେଲା । ମଣିଆ ମଣିଟି ପରି ଆଉ ସୁନେଈ ସୁନାମୁଣ୍ଡାଟି ପରି ଜକ ଜକ ହୋଇଉଠିଲେ । ସମସ୍ତେ ପ୍ରଶଂସାରେ ଦୁହିଙ୍କି ଭସେଇ ଦେଲେ । ଖବରକାଗଜମାନଙ୍କରେ ନାଁ ବାହାରିଲା । ସେହିଦିନଠୁ ସେ ଗାଁ ନା ହେଲା, ସୁନାମଣିପୁର—ମଣି କାଞ୍ଚନର ସଂଯୋଗ ।

 

ଏବେ ଜାଲକାରିଆ ମହାଜନମାନଙ୍କର ରଗ ମଲା । କେତେଗୁଡ଼ାଏ ଅପାଠୁଆ ମଦୁଆ ମାଛୁଆଙ୍କୁ ସାକ୍ଷୀ ରଖି, ଟିପଚିହ୍ନ, ସନ୍ତକ କାଟି, ପାଞ୍ଚ ଜାଗାରେ ପଚିଶ, ପଚିଶ ଜାଗାରେ ପଚାଶ କରୁଥିଲେ । କେତେ ନିରୀହ ଲୋକଙ୍କର ଘର ବୁଡ଼େଇ ସେମାନଙ୍କର ଧନ ଦଉଲତରେ ଆପଣା ଘର ଭର୍ତ୍ତି କରୁଥିଲେ, ସେତକ ରଟ୍‍କିନି ବନ୍ଦ ! ଏଣିକି ଅପାଠୁଆ ହୋଇ କେହି ଗାଁରେ ରହିଲେ ନାହିଁ । ମହାସୁଖରେ ଚଳିଲେ । ମିଛ କହି ଗୋଟିକୁ ମାରି ଆରଟିକୁ ତାରି ଅପରାଧ କମେଇବା କଥା ଏକାବେଳକେ ଶୂନ୍ୟ ହୋଇଗଲା । ‘‘ଶୁଣ୍ଢିର ସାକ୍ଷୀ ମାତାଲ’’ ଦେଖିବାକୁ ସାତ ସପନ ହେଲା-

Image

 

ଚୋରଘରେ ଆଲୁଅ

 

ଥିଲା କ’ଣ, ହେଲା କ’ଣ ?

 

ଭେଣ୍ଡାଟା ଗଞ୍ଜେଇ ଅଫିମନିଶା ଖାଇ ଖାଇ ସବୁ ସାରିଲାଣି—ଶେଷରେ ଥିଲା ଚୋରି ଡକାୟତି କରିବାକୁ । ବାପ ବିଦ୍ୟାଧର ସାନ୍ତ୍ରାର ଏମିତିକା କଥା କେବେହେଲେ ଶୁଣାଗୁଣା ନ ଥିଲା-। ତାଙ୍କ ବଂଶରେ ବି କାହାରି ଏମିତିକା ନାଁ ଗାଁ ପଡ଼ୁନଥିଲା ।

 

‘‘ଅମୃତ ହାଣ୍ଡିରେ ବିଷ କଣିକାଏ !’’

 

ସାନ୍ତ୍ରାଏ ମଲାଦିନୁ ଘରଟା ଏକାବେଳକେ ଛାରଖାର ! ଯାହା ବା ଥିଲା, କୁଆଡ଼ୁ ଗୋଟାଏ କୁଳାଙ୍ଗାର ପୁଅ ହେଲା ଯେ—‘‘ଠାକୁର ଖାଇ ଖଟୁଲି ଖାଇଲା ।’’

 

ସାନ୍ତ୍ରାଙ୍କ ପଛକୁ ଗଦା ହେଲା ଘରର ମାଲିକ—ଚାହାଳି ପାଠତକ ସାରି ଦେଇଛି ବୋଲି ପାଠ ଛାଡ଼ିଦେଲା । ସାଇ ଟୋକାଙ୍କ ସାଙ୍ଗରେ ପଡ଼ି ଗଞ୍ଜେଇ ଗୁଲି ନିଶାରେ ଖୋର—

 

‘‘ଘରବୁଡ଼ି ପାଣି ଆଣ୍ଠୁଏ ହେଲାଣି

କଣା ମନେ ମେଘ ଦୁଲୁକୁଛି ।’’

 

ଗଦାର କୋଉ କଥାକୁ ପରୁଆ ନାହିଁ । କୁଆଡ଼ୁ ଦି ପଇସା ଆମଦାନିର ଫେର ଫିକର ନାହିଁ । ସେଥିରେ ପୁଣି ନିଶାବାଜି ? ଘରେ ଯାନଆସନ ଯାହା ଥିଲା, ସବୁ ଖତମ—

 

‘‘ଅଥୁରି ଯାଇ ପଥୁରି ଶେଷ ।’’

 

ନିଶାର ଝୁଙ୍କ ତ ଉଜ୍ଜ୍ୱଳପକ୍ଷ ଚାନ୍ଦ ପରି ଦିନକୁ ଦିନ ବଢ଼ିଯାଉଛି । କୁଆଡ଼ୁ କିଛି ନ ପାଇ ଗୋଟାକାତେ ଟୋକା ମିଳି ଚୋରି ଡକାୟତିର ଆଶା ନେଲେ । ସବୁଥିକି ଗଦା ହେଉଛି ଆଗୁଆ । ପୁରୁଣା ଖାନଦାନ୍‍ଘରର ପିଲା ନା—ବୁଦ୍ଧିଟା ଟିକିଏ ସରସ ! ଚୋରି ଡକାୟତି ବେଳକୁ ବୁଦ୍ଧିଟା ବେଶ୍‍ ଖଟେ । ହେଲେ କେତେ ଲୋକଙ୍କୁ କେତେ ଭଲ ଉପଦେଶ ଦେଉଥାଏ—

 

‘‘କହି ଦେଉଥାଏ ପରକୁ,

ବୁଦ୍ଧି ନ ଆସଇ ଘରକୁ ।’’

 

ଆପଣା ବେଳକୁ ନିଶାଖିଆ ବ୍ୟବସାୟ ଆଉ ଚୋର । ଗଦାର ତ ଏମିତି ସେମିତିକା ଚୋରି ନୁହେଁ—ଶହ ଶହ, ହଜାର ହଜାର । ଯାହା ଘରେ ଆଖି ପଡ଼ିବ, ସିନ୍ଧି କାଟି ଏକାବେଳକେ କଳାକନା ବୁଲେଇ ଦେଇ ଆସିବ ।

 

‘‘ରାତିଏ ଗଲେ ହାତୀଏ ଆଣିବା କଥା ।’’

 

ମନ୍ଦଗୁଣଟା ତ ଛପି ରହେ ନାହିଁ, ଝଟ୍‍କରି ପଦାକୁ ବାହାରି ପଡ଼େ । ଗଦାର ନାଁ ଡାକ ପଡ଼ିଲା; ହେଲେ କେବେହେଲେ ଗଦା କାହାରି ହାବୁଡ଼ରେ ଧରାପଡ଼ି ନାହିଁ ।

 

‘‘ଚୋରି କରିବ, ମହତଲୋକର ହାବୁଡ଼ରେ ପଡ଼ିବ ।’’

 

ଏତକ ଗଦା ବେଶ୍‍ ବୁଝିଯାଏ । ଦେଖିଲେ ଧଇଲେ ସିନା କୋଉ କଥା—ନଇଲେ କିଏ କାହାକୁ ପଚାରୁଛି ? ଭାରି ହୁସିଆରରେ ଏକା ଗଦା ଚଳୁଥାଏ । ଆପଣା ଖଞ୍ଜରେ ବେଶ୍‍ ଥାଏ । ସଭିଏଁ ଖାଲି ଡରିମରି ରହିବା କଥା । ଗଦା କୁଣିଆ ମଇତ୍ରଘର ଗଲେ ବାଟ ଗାଁ କ’ଣ, ବନ୍ଧୁବାନ୍ଧବଙ୍କର ଗାଁ କ’ଣ, ଚାରିଆଡ଼ ହୁଲୁସ୍ତୁଲ ପଡ଼ିଯାଏ । ହେଲେ ଗଦା ସେମିତିକିଆ ଛୋଟ ମିଞ୍ଜାସିଆ ଚୋର ନୁହେଁ ଯେ, ଯୋଉଠି ପାରି ସେଠି ପଶିଯିବ । ଆଖିପୂରା ଜିନିଷ ନ ହେଲେ ଛୁଇଁ ଯାଏ ନାହିଁ ନା ଖାତର ପାସଙ୍ଗରେ ପକାଏ ନାହିଁ । କେଇଟା ଦିନରେ ଗଦାର ନା ସବୁଆଡ଼େ ରାଷ୍ଟ୍ର ହୋଇଗଲା ।

‘‘ଦେଉଳ ତୋଳିଲେ ନାଁ

ନଇଲେ ବାଟରେ ହଗିଲେ ନାଁ ।’’

ସବୁଦିନେ ତ ସବୁକଥା ନ ଥାଏ । ଚୋର ଘରେ କ’ଣ ନିତି ଅନ୍ଧାର ? ଯେତେ ବୁଦ୍ଧିଆ ହୋଇ ଜାଗତିଆରରେ ଚୋରି କଲେ ସୁଦ୍ଧା ଉପରେ ଜଣେ ତ ଅଛି, ସେ ସବୁ ଟିକିକ ନିଖକ ଦେଖୁଛି, ଶୁଣୁଛି—ତାକୁ ତ କାହାର କିଛି ଲୁଚେଇବାର ଯୁ ନାହିଁ ।

ଦିନେ ଗଦା ଗୋଟାଏ ବଡ଼ ଚୋରି କରିବାକୁ ଦୂର ଗାଁକୁ ଗଲା । ବଡ଼ଲୋକର ଘର, ଏତେ ବାଟରୁ ଆଉ ଜିନିଷପତ୍ର ବା କ’ଣ ଆଣିହେବ ? ଯୋଗକୁ ଟଙ୍କା ଥଳିଟାଏ ପାଇ ଗଦା ନିଶ୍ଚିନ୍ତ । ରାତାରାତି ମାଡ଼ିଉଠି ଧାଇଁଲା—ଅଧବାଟରେ ହେଲା ଭୋର । ବାଟ ଚାଲି ଚାଲି ଗୋଡ଼ହାତ ଥକିପଡ଼ିଲା । ଗୋଟାଏ ନିଛାଟିଆ ଜାଗାରେ ଏକୁଟିଆ ଆମ୍ବଗଛଟି ମୂଳରେ ଟଙ୍କା ପୁଟୁଳିକୁ ସାତପରସ୍ତ କନାରେ ଗୁଡ଼େଇ ମୁଣ୍ଡତଳେ ଦେଇ ଟିକିଏ ବିଶ୍ରାମ କଲା । ଚାରିଆଡ଼ ଶୂନଶାନ୍‍—ସକାଳୁଆ ସୁ ସୁ ପବନରେ ଟିକିଏ ଛାଇନିଦ ଲାଗିଆସୁଛି କି ନାହିଁ, ମୁହଁରେ ଖରା ପଡ଼ିଗଲା । ଗଦାର ନିଦ ଭାଙ୍ଗିଗଲା । ହଠାତ୍‍ ନିଦବାଉଳାରେ ଉଠିପଡ଼ି ଲୁଗାପଟାତକ କାଖରେ ଯାକି ଘରମୁହାଁ ହୋଇ ଧାଇଁଲା—

‘‘ବାଘ ଗୋଳ ଯୋଉଠି

ବେଳ ବୁଡ଼ିଲା ସେଇଠି ।’’

ଅସଲ ଟଙ୍କା ବୁଜୁଳାଟି ରହିଗଲା ସେହି ଆମ୍ବଗଛ ମୂଳରେ । ଗଦାର ଖିଆଲ ନାହିଁ, ଭୁଲରେ ଛାଡ଼ିଦେଇ ଯାଇଛି ।

‘‘ଚୋର ମନ ଚୋର ଗଣ୍ଠିରେ ।’’

ମନଟା କେମିତି କେମିତି ଗୋଳେଇ ଘାଣ୍ଟି ହେଲା । ଅଧବାଟରେ ଦେଖିଲାବେଳକୁ ଅସଲ ଟଙ୍କା ବୁଜୁଳାଟା ନାହିଁ । ହଲକ ଶୁଖିଗଲା—

‘‘ବାପ ପୁଅ ଦୁହେଁ ରାତି ଅନିଦ୍ରା

ମୁଗୁରା ମୁହଁ ମେଲା ।’’

ଗଦା ରାତିଯାକ କେତେ କଷ୍ଟରେ କେତେ ବାଟ ଯାଇ ଚୋରି କରିଥିଲା, ହେଲେ କୋଉ କୂଳକୁ ପାଇଲା ନାହିଁ । ଟଙ୍କାତକ ଗଲା ତ ଗଲା, ଯଦି କୌଣସିମତେ ଧରପଗଡ଼ି ଲାଗେ, ତେବେ ଗଦାର ସଂସାର ସରିଯିବ ସିନା ! ଗଦା ଆଉ ଘରକୁ ଯିବ କ’ଣ, କାନମୁଣ୍ଡ ଆଉଁଷି ଆଉଁଷି ସେହି ଆମ୍ୱଗଛ ଆଡ଼କୁ ଫେରିଲା ।

 

ପାଖ ଗାଁର କେଡ଼େ ବଡ଼ ପାଣ ସାହିଟା । ପିଲାଟା ଏକୁଟିଆଟିଏ ଏତେ ବାଟରୁ ଚାହାଳିକୁ ଯାଇଆସି ପାଠ ପଢ଼େ । ରାତି ପାହିଲାବେଳକୁ ଅଇଁଠା ପାଣ ଟୋକାଟା ଅଧବାଟରେ । ପାଠରେ ଭାରି ମନ, ସତେ ଯେପରିକି ପାଠଗୁଡ଼ାକ ଗୋଳି ବାଟି ପିଇ ଦେଉଛି ! ହେଲେ ପାଣଟୋକାଟା ବୋଲି କାହାରି ଖାତରରେ ଆସେ ନାହିଁ । ଯେମିତି ପାଠ ପଢ଼ୁଛି, ଆଉ କୋଉ ଛୁଆଁ ଜାତିର ପିଲା ହୋଇଥିଲେ, ଲୋକେ ବାହା ବାହା, ଧନ୍ୟ ଧନ୍ୟ କହୁଥାନ୍ତେ । ଯେତେହେଲେ ଅଇଁଠା, ପାଣଟୋକାଟା, ସବୁଜାତିର ଲୋକଙ୍କର ଅଇଁଠାଖିଆ ନା ଆଉ କ’ଣ ? ଚାହାଳିକୁ ଯାଉ ଯାଉ ଅଇଁଠା ହଠାତ୍‍ ପହଞ୍ଚିଗଲା ସେହି ନିଛାଟିଆ ଆମ୍ୱଗଛମୂଳରେ । ଦେଖିଲା, ଗୋଟାଏ କ’ଣ କନା ବୁଜୁଳାଟାଏ ପଡ଼ିଛି । ଏପାଖ ସେପାଖ କେତେ ଚାହିଁଲା; କାହାରି ସାଡ଼ାଶବଦ ନାହିଁ । କିଏ କ’ଣ ପକେଇ ଦେଇ ଯାଇଛି ଭାବି ଖୁବ୍‍ ସାବଧାନରେ ବୁଜୁଳାଟାକୁ ଖୋଲିଲାବେଳକୁ ଦେଖିଲା ଟଙ୍କାଗୁଡ଼ାଏ । ଅବାକ୍‍ ହୋଇଗଲା; ହସିବ ନା କାନ୍ଦିବ ! ଅଇଁଠାର ଚଉଦ ପୁରୁଷରେ କେହି ହେଲେ ଏତେଗୁଡ଼ାଏ ଟଙ୍କା ଦେଖି ନ ଥିବେ । କେତେ କ’ଣ ଭାବିଲା । ପରଧନ; ବହିରେ ପଢ଼ିଛି, ମାଷ୍ଟର ମଧ୍ୟ କେତେଥର କହିଛନ୍ତି, ରଖିବ କିପରି ? ଡରରେ ଥରହର ! ଦେଖିପକେଇଲା, ପଛଆଡ଼ୁ କେତେ ବାଟରେ କିଏ ଜଣେ ତରତର ହୋଇ ତାରି ଆଡ଼କୁ ଧାଇଁଛି । ଅଇଁଠାର ହଲକ ଶୁଖିଗଲା । କିଏ ଆସୁଛି, ଯଦି ଧରପଗଡ଼ କରେ, ତେବେ ପାଣ ଟୋକାଟାର ଛତୁ ଉଡ଼ିଯିବ; ବିଚରାର ବାପମା ଉଚ୍ଛନ୍ନ ହୋଇଯିବେ ସିନା ! କ’ଣ ଭାବି ଅଇଁଠା ଟଙ୍କା ବୁଜୁଳାଟା ଧରି ହଠାତ୍‍ ସେହି ଆମ୍ୱ ଗଛରେ ଚଢ଼ି ପତ୍ର ଗହଳରେ ଲୁଚି ବସିଲା—କାଳେ କିଏ ଟଙ୍କା ଦେଖି ମାରପିଟ କରିବ ।

 

‘‘ବାଘ ନେଲାଠାରୁ ଘୋଷରା ବଳେ !’’

 

ଦେଖୁ ଦେଖୁ ଗଦା ଧାଇଁ ଧାଇଁ ହଠାତ୍‍ ଗଛମୂଳରେ ହାଜର କେତେ ଖୋଜିଲା, ଟଙ୍କାର ଗନ୍ଧ ସମ୍ୱନ୍ଧ କିଛି ପାଇଲା ନାହିଁ । କାନ୍ଦୁଣିମାନ୍ଦୁଣି ହୋଇ ମୁଣ୍ଡରେ ହାତ ଦେଇ ଗଛମୂଳରେ ଥକା ହୋଇ ବସି ପଡ଼ିଲା । ଅଇଁଠା ଗଛରେ ବସି ସବୁ ଦେଖୁଥାଏ । ‘‘ଛାତିରେ କାତେ ପାଣି ।’’ ଏଣେ ଚାହାଳି ବେଳ ଗଡ଼ିଯାଉଛି; ଆଉ ପିଲାଏ କେତେ ପଢ଼ିଯିବେଣି ।

 

ଅଇଁଠା ଆଉ ସମ୍ଭାଳି ନ ପାରି ଧୀରେ ଧୀରେ ତଳକୁ ଓହ୍ଲାଇଲା । ଗଦା ପାଖରେ ଟଙ୍କାତକ ରଖିଦେଇ ଅଇଁଠା ଲମ୍ୱ ହୋଇ ଗୋଡ଼ତଳେ ପଡ଼ିଗଲା । କହିଲା, ‘‘ମତେ ରକ୍ଷା କର, ଏତକ ଟଙ୍କା ଏଇଠୁ ପାଇଛି । ସବୁତକ ତୁମେ ନିଅ, ଏଥର ମୁଁ ଚାହାଳିକୁ ଯାଏ, ଉଛୁର ହେଉଛି ।’’ ଗଦା ଭାରି ଖୁସିଟାଏ ହୋଇ ଅଇଁଠା ପିଠିରେ ହାତ ମାଇଲା । ଅଇଁଠା ‘‘ଛୁଇଁବ ଛୁଇଁବ’’ କହି ପାଞ୍ଚ ହାତ ଘୁଞ୍ଚିଗଲା । ଗଦା କିନ୍ତୁ ‘ନଛୋଡ଼ବନ୍ଧା’— ହାତ ଧରିପକେଇ କହିଲା, ‘‘ଆରେ ଏ ଟଙ୍କାତକ ମୋର; ତୁ ଯେତେବେଳେ ପାଇଛୁ ଏଥିରୁ ତୁ ଅଧେ ନେ, ବାକି ଅଧେ ମୁଁ ନେଉଛି ।’’

 

ଅଇଁଠା କହିଲା, ‘‘ମୋର ଏଗୁଡ଼ାକ କ’ଣ ହେବ ? ଏ ତ ମୋର ନୁହେଁ—ପରଧନ ! ମୁଁ ତ କମେଇ ନାହିଁ ଯେ, ମୋର କୋଉ କାମକୁ ପାଇବ ।’’

 

ଗଦା ମନଭିତରଟା କ’ଣ କିପରି ହୋଇଗଲା । ଭାରି ଆଶ୍ଚର୍ଯ୍ୟ ହେଲା । କହିଲା–‘‘ତେବେ ଏଥିରୁ ହାତରେ ମୁଠାଏ ଟଙ୍କା ନେ ଯେ ମିଠେଇ ଖାଇବୁ ।’’ ଅଇଁଠାର କିନ୍ତୁ ସେହି ଏକା ‘ନାହିଁ’ । ଆଖି ବୁଜି ହୋଇଗଲେ । କହିଲା—

 

‘‘ପତର ସାଉଁଟିବା ଲୋକ ତୋଟାମୂଲ କାହିଁକି ?’’

 

ପଇସାଟାକର ମୁଣ୍ଡ ନୁହେଁ, ଟଙ୍କା ନେଇ କ’ଣ କରିବି ? ଗଦା ଟଙ୍କା ନେବା ପାଇଁ କେତେ ବହଲେଇ ଚୁହୁଲେଇ କହିଲା, ଅଇଁଠା ଗୋଟାଏ ହେଲେ ଟଙ୍କା ନେବାକୁ ଏକାବେଳକେ ନାରାଜ । ଅଇଁଠା କିପରି ଟଙ୍କାତକ ନେଇ ଚାହାଳିକୁ ଯିବ, ସେହି ଭାବନା । ଗଦା ଖୁବ୍‍ ହାତ ଓଠ ଧରି ଜିଗର କରିବାରୁ ଅଇଁଠା ନିତାନ୍ତ ବାଧ୍ୟହୋଇ, ପଇସାଟିଏ ନେବାପାଇଁ ହାତ ପତେଇଲା । ଗଦା ତ ଖାନ୍‍ଦାନ୍‍ ଘରର ପିଲା । କଥାଟା ବେଶ୍‍ ବୁଝିପାରି ଅଣ୍ଟାରୁ ପଇସାଟିଏ ଅଇଁଠାକୁ ଦେଲା-। ଅଇଁଠା ପଇସାଟିଏ ଧରି ଚାହାଳିକୁ ଦୌଡ଼ିଲା । ଗଦା ଟଙ୍କାତକ ସବୁ ଫେରି ପାଇଲା ସତ; କିନ୍ତୁ ମନରେ କିଛି ସୁଖ ନାହିଁ । ଟଙ୍କା ହଜେଇ ଯେତେ ଦୁଃଖ ହୋଇ ନ ଥିଲା, ଟଙ୍କାତକ ଫେରିପାଇ ତା’ଠାରୁ ବେଶି ଦୁଃଖରେ ପଡ଼ିଲା । ପାଣଟୋକା ଅଇଁଠାଟାର କଥାରେ ତା’ର ମନ ତରଳିଗଲା-। ସେହିଦିନଠାରୁ ଗଦାର ଚୋରି ଡକାୟତି, ଗଞ୍ଜେଇ-ଅଫିମଖିଆ ସବୁ କୁଆଡ଼େ ପାସୋର ଗଲା-। ଟଙ୍କାତକ ଘରକୁ ନେବ କ’ଣ; କ’ଣ କେଜାଣି ଭାବି ପାଣସାହିକୁ ଯାଇ ଅଇଁଠାର ଚାଳ କଣା କରି ତା’ ଘର ଭିତରକୁ ଲୁଚେଇ କରି ଗଳେଇ ପକେଇଲା । ହେଲେ ଅଇଁଠା କିଛି ଜାଣିଲା ନାହିଁ ।

 

ଅଇଁଠାର ଘର ଭର୍ତ୍ତି ହୋଇଗଲା । ସଭିଏଁ ଭାବିଲେ—ଚାହାଳିରେ ଗୋଡ଼ ଦେଉ ଦେଉ ଏମିତିକା ଲାଭ, ବେଶୀ ପଢ଼ିଲେ ଆଉ କ’ଣ ନ ହେବ ? ସଭିଏଁ ତାଟଙ୍ଗା ହୋଇଗଲେ । ଗଦା ବେଶୀ ପଢ଼ିଲା । କିଛିଦିନରେ ଜଣେ ଆଦର୍ଶ ଲୋକ ହୋଇଉଠିଲା । ସେହି ପାଣସାହିରେ ଖଣ୍ଡେ ଚାହାଳି ଖୋଲି ନିଜେ ପାଠ ପଢ଼େଇବାକୁ ଆରମ୍ଭ କଲା ।

 

ଗଦାର ପ୍ରଶଂସା ଚାରିଆଡ଼େ ମହକି ଉଠିଲା ।

Image

 

ଛୋଟ ମୁହଁରେ ବଡ଼ କଥା

 

ନଅଟା ନାହିଁ ଛଅଟା ନାହିଁ—ଗୋଟିଏ ବୋଲି ନାତି । କରମରେ ଥିଲେ ସିନା ଲୋକେ ନାତି, ଅଣନାତି, ପଣନାତି ଦେଖନ୍ତି; ନଇଲେ କାହା ଭାଗ୍ୟରେ ଘଟେ ? ଖାଡ଼ଙ୍ଗା ବୁଢ଼ାଙ୍କର ଆସି ବାଳ ପାଚିଲା, ଦାନ୍ତ ପଡ଼ିଲା, ଚମ ଧୁଡ଼ୁ ଧୁଡ଼ୁ ହେଲାଣି, ଆଖିକୁ ଆଉ ଦିଶିବାକୁ ନାହିଁ ! ପାଚଲା ତାଳ—କେତେବେଳେ ସେ ରଥ ରଟ୍‍କିନି ରହିଯିବ, କିଏ ଜାଣେ ? ସଂସାରର ସବୁ ସୁଖ ଆର୍ଦ୍ଦୋଳି ସରିଛି; ମନ ଅଛି—ନାତି ସରଭାଟିର ମୁଣ୍ଡରେ କେମିତି ଦୂବଚାଉଳ ପଡ଼ିବ—ଖାଡ଼ଙ୍ଗାଏ ଦେଖିବେ । ନାତି ବିଭାଘର ଦେଖିଲେ ବୁଢ଼ାଙ୍କର ସବୁ ଆଶା ମେଣ୍ଟିଯିବ; ମଣିଷ ଜନମ ସାର୍ଥକ ହେବ ।

 

ସରଭା ପିଲାଟିଦିନରୁ ବାପଛେଉଣ୍ଡ । ବିଧବା ମାଆଟି ସବୁବେଳେ କାନିପଣତରେ ବାନ୍ଧି ରଖିଥାଏ—ସରଭାଟି ଗୋଟିଏ ବୋଲି ଆଖି ।

 

‘‘ଏକ ସାକ୍ଷୀ ସାକ୍ଷୀ ନୁହେଁ

ଏକ ଆଖି ଆଖି ନୁହେଁ ।’’

 

ପୁଅ ବୋଲି ଖଣ୍ଡେ ! ବୁଢ଼ା କ’ଣ, ସରଭାର ମା କ’ଣ, କେହି ଆପଣା କତିରୁ ଦଣ୍ଡେ ହେଲେ ସରଭାକୁ ଛାଡ଼ି ଦିଅନ୍ତି ନାହିଁ । ବୁଢ଼ା ଖାଡ଼ଙ୍ଗାଏ ନୁଡ଼ୁ ନୁଡ଼ୁ ଥୁରୁ ଥୁରୁ ହେଉଥିଲେ କ’ଣ ହେବ, ସରଭାଠାରେ ଭାରି ଲୋଭ । ସରଭା ପାଇଁ ବେଳେ ବେଳେ କାହୁଁ ବଳ ମାଡ଼ିଆସେ । ପୋଡ଼ା କପାଳକୁ ବୁଢ଼ାକୁ କ’ଣ ପୁଅ ପିଣ୍ଡ ପାଣି ଦେଇଥାନ୍ତା, ପୁଅଟି ଆଗରୁ ବାଟ କାଟିଛି । ହେଲେ ଖାଡ଼ଙ୍ଗାଏ ନାତିଟିକୁ ପାଖରେ ସବୁବେଳେ ଦେଖି ଦିନ କାଟନ୍ତି, ପୁତ୍ରଶୋକ ପାସୋରି ପକାନ୍ତି । ସମ୍ପତ୍ତି କାହିଁରେ କ’ଣ; ହେଲେ ବାରଆଡ଼େ ବାରଲୋକେ କିଲେଇ ବିଲେଇ କରି ଖାଇଯାନ୍ତି । ଶଶୁର ଆଉ ବୋହୂ ସବୁ ଶୁଣନ୍ତି, ଜାଣନ୍ତି; କରିବେ କ’ଣ ? କୋଉ ବଳ ଅଛି ଯେ ! ମୁଣ୍ଡକାନ ଆଉଁଷି ଚୁପ୍‍ ମାରି ରହିବା କଥା । ସବୁବେଳେ ସରଭାର ବାହାଘର କଥା ।

 

ସରଭା ଏଡ଼େ ବକଟେ ପିଲା, ତା’ର ପୁଣି ବାହାଘର ହେବ ବୋଲି ମା ଆଉ ଅଜାଙ୍କର ଭୋକଶୋଷ ନାହିଁ । ସରଭାର ପାଠପଢ଼ା ନାଁ ଗନ୍ଧ କେହି ଧରିବାକୁ ନାହାନ୍ତି । ସବୁବେଳେ ତ ପିଲାଟାକୁ ଗଣ୍ଠିଧନ କରି ଜଗି ବସିଛନ୍ତି; ପିଣ୍ଡାରୁ ତଳକୁ ଓହ୍ଲାଇବାକୁ ନାହିଁ—ପାଠପଢ଼ାକଥା କିଏ ପଚାରେ ? ତାରି ସାଙ୍ଗର ପିଲାଏ କେତେଗୁଡ଼ାଏ ପଢ଼ିଗଲେଣି, ସରଭା ଚାଟଶାଳି କେମିତି ଦେଖିଲା ନାହିଁ । ଖାଡ଼ଙ୍ଗାଙ୍କର ଏକ ଜିଦ୍‍—ସରଭାର ବାହାଘର ହଉ । କାହାର କ’ଣ ଗୁଡ଼ାଏ ସରି ଯାଉଛି ଯେ, କିଏ ମନା କରିବ ? ସତକୁ ସତ କେଇଟା ଦିନ ଭିତରେ ଏଡ଼େ ବକଟେ ପିଲାଟାକୁ ବାହା କରିଦେବେ ବୋଲି ସବୁଠେଇଁ ସବୁ ଠିକ୍‍ ହୋଇଗଲା । ଗାଁ ଗାଉଁଲିରେ କିଏ ବା କାହିଁକି ବନ୍ଦ କରିବାକୁ ପାଟି ଫିଟେଇବେ ? ଖାଡ଼ଙ୍ଗାଏ ଏଡ଼େ ଶରଧାରେ ନାତି ବାହାଘର ଦେଖିବାକୁ ମନ କରିଛନ୍ତି, କିଏ କାହିଁକି ଆଶାରେ ଧୂଳି ଦେବ ? ଅଶୀ ବରଷର ବୁଢ଼ା, ନିଃଶ୍ୱାସ ପଡ଼ିବା କଥା-! କେତେବେଳେ କୋଉ କଥା ! ସରଭାର ବାପ ବଞ୍ଚିଥିଲେ ସିନା ଯୋଉ କଥା କହିଲେ ସୁନ୍ଦର ଦିଶନ୍ତା ! ବିଧବା ମା ତ ପୁଅ ବାହାଘର ପାଇଁ ‘ତହିଁକି ଗୋସେଇଁ ଆଗ’; ସାଇପଡ଼ିଶାଙ୍କର ପାଟି ବନ୍ଦ ! ଖିରିପିଠାରେ ବାହାବୁଡ଼ା ପଡ଼ିଯିବ; ଖିରିହାଣ୍ଡିରେ ଗୋଡ଼ ପଶିବା କଥା ! ଲୋକେ ଲୁଣପାଣି ପିଇ ରହିବାକୁ ବାହାରିଲେଣି ! ଗୋଡ଼ ପାଞ୍ଚ ହାତରେ ପଡ଼ୁଛି । ବେଳକୁ ବେଳ ବାହଘରର ଧୂମ୍‍ଧାମ୍‍ ଭାରି । ସରଭାର କ’ଣ ଯାଉଛି, ହେଣ୍ଡି ମାରି ନାଚି ବୁଲୁଛି । ବାହା ଫାହା କଥା ସେ କ’ଣ ଜାଣେ—ତା’ର ହୋଲେ ନା ଡୋଲେ । ଭୋଜି ହେବ, ପାଲିଙ୍କିରେ ବସିବ, ବାଇଦ ବଡ଼କାଠ ବାଜିବ, ରୋଶନି ନାଚ ତାମସା ହେବ—ଏତିକି ପାଇଁ ସରଭାର ଛାତି କୁଣ୍ଢେ ମୋଟ ।

 

ଖାଡ଼ଙ୍ଗାଏ ଲୋକ ପଠେଇ କନ୍ୟାଟିଏ ଠିକ୍‍ କଲେ । ଦିନବାର ଧରି ବାହାଘର ଠିକ୍‍ ହେଲା । ଖାଡ଼ଙ୍ଗାଘରର ବାହାଘର—ଏମିତି ସେମିତି ନୁହେଁ । ପାଲିଙ୍କି ସବାରୀମାନ ସଜ ହେଲା–ବାଇଦ ରୋଶନି କଥା ଛାଡ଼—ତିନିଦିନଠଉଁ ଗାଁଯାକ ହାଲୋରମୟ ! ବାଇଦ ବଜାର ମେଦିନୀ କମ୍ପୁଛି । ସରଭାଟି ଯେପରି ରଜାଘର କୁମର ! ଗୋରା ତକ୍‍ତକ୍‍—ଚିକଣ ଚାକଣରେ ଦେହରୁ ମାଛି ଖସି ପଡ଼ୁଛି ! ପାଟ ପୀତାମ୍ୱରରେ ଯେତେବେଳେ ବେଶ ହୋଇ ସରଭା ପାଲିଙ୍କିରେ ବସି ପଡ଼ିଲା—ଦେଖି ଦେଲେ ଆଖପତିଟା ହେଲେ ସୁଦ୍ଧା ଦଣ୍ଡେ ଠିଆ ହୋଇଯିବ, ଶତ୍ରୁ ଶଙ୍କି ପଡ଼ିବ–ଭୋକଶୋଷ ମରିଯିବ, ଭୋଜି କଥା ପଚାରେ କିଏ ? କାହାରି ଆଖି-ପିଞ୍ଛଡ଼ା ପଡ଼ବାକୁ ନାହିଁ–ଦେଖିବାକୁ ଲୋକ ଜନ୍ତାଜନ୍ତି ! ସରଭାର ମନକୁ ଲଙ୍ଗଳ ଦଉଡ଼ା ପାଉ ନାହିଁ । ନ ହେବ କାହିଁକି ? ପିଲା ବକଟକ ପାଇଁ ଏଡ଼େ ବଡ଼ କାରଖାନା । ବର ବାହାରିଲା । ଖୁବ୍‍ ଆଡ଼ମ୍ୱରରେ ପଟୁଆର ଚାଲିଛି । ଘରୁ ବାହାରି ଗାଁମୁଣ୍ଡରେ ପହଞ୍ଚିବାକୁ ତିନି ଘଣ୍ଟା ବିତିଗଲାଣି । ଲୋକାରଣ୍ୟ–ପଞ୍ଝା ପଞ୍ଝା ହୋଇ ଆଗିଲି ପିଛିଲି ହୋଇ ଚାଲିଛନ୍ତି । ସଭା ପଛରେ ଟିକିଏ ଛାଡ଼ି ବର ପାଲିଙ୍କି ଗୋଟିଏ ଗୋଟିଏ ଚାଲିଛି । ବାଣ, ନିଶାଣ, ନାଚ, ତାମସା ସବୁ ଆଗେ ଆଗେ ମାଇଲିଏ ବାଟ ପର୍ଯ୍ୟନ୍ତ ରୋଶନି ଖଞ୍ଜା ହୋଇଛି । ଦେଖିବାକୁ ଲୋକେ ବରାବର ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି-। କେତେ ପଛରେ ରହିଗଲା ବରପାଲିଙ୍କିଟି—ଗାଁ ଟପି ଗଲେଣି—ଆଗରେ ସଭିଏଁ ରୋଶନି ଦେଖିବାରେ ବ୍ୟସ୍ତ ।

 

ବେହେରାମାନେ ପାଲିଙ୍କି କାନ୍ଧେଇ ଠିଆ ହୋଇ ହୋଇ ଥକି ଗଲେଣି; ତଥାପି ଖାଡ଼ଙ୍ଗାଙ୍କ ଡରରେ କାନ୍ଧରେ ରଖି ଠିଆ । ଅତି ନିକଟରେ ଛୋଟା ଭିଖାରିଟିଏ ରାସ୍ତା କରରେ ବସି କ’ଣ ମଉନରେ ଭାବୁଛି—ଆଖି ପଡ଼ିଗଲା ବେହେରାମାନଙ୍କର ତା’ରି ଉପରେ । ସର୍ଦ୍ଦାର ବେହେରା ପଚାରିଲା, ‘‘ଆରେ ! ରାତିଟାରେ ଏଠି ଏକୁଟିଆଟି କାହିଁକି ବସିଛୁ ?’’

 

ଭିକାରି—ନାଇଁ ସାଆନ୍ତେ । ପେଟ ପୋଡ଼ି ଗଲାଠଉଁ ଏଠି ସେଠି କ’ଣ ?

 

ସର୍ଦ୍ଦାର—କାହିଁକି ? ଏତେ ଲୋକ ଖିରିପୁରିରେ ଭାସୁଛନ୍ତି, ତୁ– ?

 

ଭିକାରି—ହଁ, ମୁଁ ଯାଇଥିଲି ଯେ, ବରକୁ ଦେଖି ମନଟା ଦିକଡ଼ାରେ ହୋଇଗଲା; ଆଉ ଖାଇବି କ’ଣ ? ଝଟ୍‍କରି ଫେରି ଆସି ଏଇଠି ବସିଛି ତ !

 

ସର୍ଦ୍ଦାର—କିରେ କ’ଣ କହୁଛୁ କଛି ବୁଝାଯାଉ ନାହିଁ ତ !

 

ଭିକାରି—କହିବି କ’ଣ ? ବର ବୋଲି ଯିଏ, ଏଡ଼େ ସୁନ୍ଦର ପିଲାଟିଏ, ରୂପରେ ତିନିପୁର ମୋହୁଛି, ତାକୁ ପୁଣି ପାଠଶାଠ ନ ପଢ଼େଇ ଏଡ଼େ ବକଟକ ବେଳୁ ବାହାକରି ଦେଉଛନ୍ତି । ବୟସ ତ ଆଠ ନ ଭିତରେ—କ’ଣ ବଳେଇଗଲା କି ? ପାଠ ପଢ଼ିଥାନ୍ତା, ବୁଦ୍ଧି ଜ୍ଞାନ ହୋଇଥାନ୍ତା–କେତେ କଥା ଜାଣିଥାନ୍ତା, ଶୁଣିଥାନ୍ତା । ତେବେ ଯାଇଁ ବାହାଘର ହୋଇଥିଲେ କେଡ଼େ ସୁନ୍ଦର ହୋଇ ନ ଥାନ୍ତା ! ଧନ ସମ୍ପତ୍ତିରେ ଯେମିତି କୁବେର, କେଡ଼େ କେଡ଼େ ଲୋକମାନେ ଆସି ପରା ମାତିଥାନ୍ତେ—ନଈମାଛ ଶୁଖିଲାରେ ଖେଳିଥାନ୍ତା ! ତା’ର ଜୀବନଟା ମାଟି କରିଦେଲେ ସିନା-! ନିତାନ୍ତ ଘର ଯେ, ସେ ତ ଏମିତିକା ବାହଘର କେବେହେଲେ କରନ୍ତା ନାହିଁ—ତାଙ୍କର କ’ଣ ନାହିଁକି ?

 

ବେହେରାମାନେ ଛୋଟା ଭିକାରିଟାର କଥା ଶୁଣି ଆବାକାବା ହୋଇଗଲେ । ଏଟା କ’ଣ ପାଗଳ ହୋଇଗଲାଣି କି ? ଏମିତି କ’ଣ ଗୁଡ଼ାଏ କହୁଛି ? ସଭିଏଁ ଫୁଟିକିଟାରେ ତା’ କଥା ଉଡ଼େଇ ଦେଇ ଟାହୁଲି କଲେ । ହେଲେ କାହାର ପୁଅ, କାହାର ନାତି, ସରଭା ମନଭିତରେ ଏ କଥାଟା ଚଟ୍‍ କରି ଲାଗିଗଲା । ନିତାନ୍ତ ଛୋଟା ଭିକାରିଟାଏ, ହେଲେ କ’ଣ ହେବ—ଅସଲ ଖାଣ୍ଟି କଥାଟାଏ କହିଛି ଏକା ।

 

ସରଭା କିନ୍ତୁ ସେହି କଥାଗୁଡ଼ାକୁ ମନେମନେ ଗୁଣି ହେଲା । ହଠାତ୍‍ କ’ଣ ବିଚାରିଲା, ବେହେରାମାନଙ୍କୁ ପାଲିଙ୍କି ରଖିବାକୁ କହିଲା । ସରଭା ତ ଏହିକ୍ଷଣି ବର ହୋଇ ସରଗର ଇନ୍ଦ୍ରଭଳିଆ । କି ରାଜା, କି ମହାରାଜା, ଏତେବେଳେ ଯିଏ ଠିଆ ହେଲେ ମୁଣ୍ଡ ନୁଆଁଇବା କଥା । ବେହେରାମାନେ ବରର କଥା ଅନୁସାରେ ପାଲିଙ୍କି ଭିଡ଼ିଲେ । ସରଭା ବର ଫର କଥା ସବୁ ପାସୋରି ପକେଇ ପାଲିଙ୍କିରୁ ଓହ୍ଲେଇ ପଡ଼ିଲା । ଛୋଟା ଭିକାରିକୁ ଲମ୍ୱାଚରଣ କରି ମୁଣ୍ଡିଆଟା ମାରିଦେଇ ବେହେରାମାନଙ୍କୁ କହିଲା, ‘‘ବାହାଘର ଏଇଠି ବନ୍ଦ; ବର୍ତ୍ତମାନ ମୋର ବିଭାଘରର ବେଳ ନୁହେଁ । ମୋର ବର୍ତ୍ତମାନ ବୁଦ୍ଧି ହୋଇଛି; ସବୁ କଥା ବୁଝି ପାରିଲିଣି । ପାଠ ପଢ଼ିଲେ, ବଡ଼ ହେଲେ ଯାଇଁ ବାହାଘର ହେବ । ବର୍ତ୍ତମାନ ନୁହେଁ—ପାଲିଙ୍କି ଫେରେଇ ନିଅ । ଅଜାଙ୍କୁ, ଆଉ ସମସ୍ତଙ୍କୁ କହିଦିଅ ।’’ ଏତକ କହିଦେଇ ସରଭା ପାଖ ଗଛମୂଳେ ବସିରହିଲା ।

 

ସେହିକ୍ଷଣିକା ଚାରିଆଡ଼େ ଖବର ହୋଇଗଲା—ଖାଡ଼ଙ୍ଗାଏ ଆଉ ମୁଖିଆ ମୁଖିଆ ଲୋକମାନେ ଆସି ଜମା ହୋଇଗଲେ । କେତେ ବହଲେଇ ବହଲେଇ କହିଲେ—ସରଭାର କିନ୍ତୁ ସେହି ଏକା ଜିଦ୍‍—‘‘ବାହାଘର ବନ୍ଦ ।’’ ସବୁ କଥା ଖୋଲି କହିଲା । ଯେତେ ଯିଏ ବୁଝେଇଲେ, ସବୁ ଅକାରଣ । ସରଭା ବୁଝୁଛି କୋଉଠୁ ?

‘‘କହିଲେ ନାଇଁ, କି ବୋଇଲେ ନାଇଁ ।’’

ଯାହା ଯୋଉଠି ସବୁ ଥପ୍‍କିନି ବନ୍ଦ ହୋଇଗଲା । ମନ ବିରସରେ ଗୋଟି ଗୋଟି ହୋଇ ଫେରିଲେ । ଖାଡ଼ଙ୍ଗାଏ ଚୁପ୍‍ଚାପରେ ଆପଣା ଲାଜ ଆପେ ଖାଇ ଘରକୁ ଫେରିଲେ । ସରଭାକୁ ମଧ୍ୟ ସୁରୁଖୁରୁରେ ଘରକୁ ନେଲେ । ପରଦିନ ସରଭାର ବିଦ୍ୟାଳୟ ହେଲା । ବିଭାଘରର ଆୟୋଜନଯାକ ବିଦ୍ୟାରମ୍ଭରେ ଲାଗିଲା । ବୁଢ଼ା ଖାଡ଼ଙ୍ଗାଏ ମୋଡ଼ିମାଡ଼ି ହୋଇ ରହିଲେ । ସରଭା ମନଦେଇ ପାଠ ପଢ଼ିଲା ।

ଦିନାକେତେ ଯାଇଛି କି ନାହିଁ—ସରଭା ପଠପଢ଼ାରେ ଭାରି ନାଁ କଲା । ମାଷ୍ଟରେ ଧନ୍ୟ ଧନ୍ୟ ପ୍ରଶଂସା କଲେ । ଯେତେବେଳେ ଦେଖିବେ, ସରଭା ସବୁ କଥା ପଛକୁ ପକେଇଦେଇ ପାଠ ପଢ଼ିବାକ ସ୍କୁଲରେ ହାଜର । ଏପରିକି ଖିଆପିଆ ବିଷପିତା ହେଲା । ହେଲେ ଖାଡ଼ଙ୍ଗାଏ କ’ଣ, ବିଧବା ମା’ଟି କ’ଣ, କାହାରି ମନରେ ସୁଖ ନ ଥାଏ । ପିଲା ବକଟକ, କ’ଣ ନ କଲା ସତେ-? ଏଡ଼େ ବଡ଼ ଆର୍ଦୋଳିଟାକୁ ଥପ୍‍ କରି ବନ୍ଦ କରିଦେଲା । ଧନ୍ୟରେ ଯୁଗ ।

ଚିନ୍ତାରେ ଚିନ୍ତାରେ ଖାଡ଼ାଙ୍ଗା ବୁଢ଼ା ଅଧେ ଝଡ଼ିପଡ଼ିଲେଣି । ଏଣେ ବୁଢ଼ା ହେଲେଣି, ଦାନ୍ତ ପଡ଼ିଲାଣି, ଆଖିକୁ ଭଲ କରି ଦିଶୁନାହିଁ, ଯୋଉଠି ବସିଲେ ସେଇଠି, ସରଭା ମା ମଧ୍ୟ କ’ଣ କରିବ—ଏଠି ସେଠି ହୋଇ ହୋଇ ଦିନ କଟୁଥାଏ—ରାତି ନ ପାହୁଣୁ ତ ସରଭା ଇସ୍କୁଲରେ—ଆଉ ବା କାମ କ’ଣ ? ଶଶୁରବୋହୂଙ୍କର ଏକା ସବୁବେଳେ ସେହି ସରଭା ବାହାଘର ଚିନ୍ତା । ହେଲେ କିଏ ଭରସି ସେ କଥା ଆଉ ଉଠେଇବ ? ଗୋଟିଏ ବୋଲି ପୁଅ, ଯାହା କରୁଛି କରୁ ।

ବୁଢ଼ା ଖାଡ଼ଙ୍ଗାଙ୍କର ବେଶି ଭାବନା—ଏତେଗୁଡ଼ାଏ ସମ୍ପତ୍ତି, କିଏ ରକ୍ଷାରକ୍ଷଣ କରିବ ? ସରଭାର ମା ଯିଏ, ସେ ତ ସବୁ କଥାରେ ପୋଲାଫାଙ୍କିଆ । ଖର୍ଚ୍ଚ ବିଷୟରେ ବେପରୁଆ । ଖାଡ଼ଙ୍ଗାଙ୍କର ଆଶା ଥିଲା—ନାତୁଣୀବୋହୂଟି ଆସିଥାନ୍ତା, ଖାଡ଼ଙ୍ଗାଙ୍କ କଥାରେ ରହି ଚଳିଥିଲେ ସମ୍ପତ୍ତିଟା ଜାଗତିଆର ହୋଇଥାନ୍ତା । ଛାଡ଼ ସେ କଥା । ସରଭାର ତ ପାଠପଢ଼ା ଝୁଙ୍କ ଭାରି । ସବୁବେଳେ ମାଷ୍ଟରଙ୍କ ପାଖରେ । ଘରର ଭଲମନ୍ଦ ଖବର ବୁଝୁଛି କିଏ ? ଦିନ ଦି ପହରରେ ଘରେ ପଶି କିଏ ଯାନାସନ ସବୁ ବୋହି ନେଲେ କେହି ହାରିଗୁହାରି ନାହାନ୍ତି । ବୁଢ଼ାଟା କ’ଣ ସମ୍ଭାଳି ରଖିବ ?

ଥରେ ଗାଁରେ ଚୋର ମାତିଲେ । ସଭିଙ୍କର ଆଖି ଖାଡ଼ଙ୍ଗାଙ୍କ ସମ୍ପତ୍ତି ଉପରେ । ପଇସାଟିଏ ଅଧଲାଟିଏ କାହାକୁ ଦେବା ଖାଡ଼ଙ୍ଗାଙ୍କ ଜାତକରେ ନାହିଁ—ଖାଲି ମହୁମାଛି ପରି ସଞ୍ଚି ଜଗି ବସିବା କଥା । ସେଥିରେ ପୁଣି ଘରେ ଯିଏ ଜଗୁଆଳି, ସେ ଥିଲା ନ ଥିଲା ସବୁ ଏକା । ଚୋର ମାତିଲେ ବୋଲି ଚାରିଆଡ଼େ ହୁରି ପଡ଼ିଗଲା । ଖାଡ଼ଙ୍ଗାଙ୍କ ଦେହରୁ ରକତ ଶୁଖିଗଲାଣି—କେତେବେଳେ କୋଉ କଥା, ଭାରି ଭାବନା ପଡ଼ିଗଲା ! ହେଲେ, ବେଳେ ବେଳେ ସରଭା ଭାରି ହେମତ୍‍ ଦେଉଥାଏ; କିନ୍ତୁ ଖାଡ଼ଙ୍ଗାଙ୍କ ମନ ବୁଝେ କେତେକେ ।

 

ମୁହଁସଞ୍ଜ ବେଳଟା—ଖାଡ଼ଙ୍ଗାଏ ଗାଁରେ ଚୋରି ଡକାୟତି ଖବର ଶୁଣି ଭାରି ବ୍ୟସ୍ତ । ସରଭା ହଠାତ୍‍ ଆସି କ’ଣଗୁଡ଼ାଏ ଗାଲୁରୁ ଗାଲୁରୁ ହୋଇ ଗପି ବସିଲା । ଖାଡ଼ଙ୍ଗାଏ କହିଲେ–‘‘ଆରେ ସରଭା, ଆଜିକାଲି କାଳ କ’ଣ, ବେଳ କ’ଣ, ତୁ କ’ଣ ଶୁଣୁ ନାହୁଁ ? ଘର ଛାଡ଼ିଦେଇ ସବୁବେଳେ ଯାଇଁ ଇସ୍କୁଲରେ, ସେଥିରୁ ଭଲା କ’ଣ ମିଳିବ ଆମର ?

 

ନ ଥିଲାବାଲା ସିନା ଚାରି ପଇସା ଭେଇବା ପାଇଁ କଷ୍ଟ କରି ପାଠ ପଢ଼ନ୍ତି । ଆମର ତ ଯେତେ ସମ୍ପତ୍ତି ଅଛି, ତାକୁ ନେଇ ଆଣି ଥୋଇ ଜାଣିଲେ, ତୋ ଦେହକ ଯାଇ ବଳିପଡ଼ିବ । ସରଭାକୁ କିନ୍ତୁ ଏ କଥାଗୁଡ଼ାକ କେମିତି କେମିତି ଲାଗିଲା । କହିଲା—‘‘ଅଜା, ବସି ଖାଇଲେ ତ ନଈବାଲି ସରେ । ପାଠ ପଢ଼ିଲେ, ବୁଦ୍ଧି ହେଲେ ସିନା ବାର ଫନ୍ଦିଫିକର କରି ସମ୍ପତ୍ତି ଜାଣିବାକୁ ହୁଏ; ପୁଣି ଭଲମନ୍ଦ ବିଚାର, ପଇସାର ସଦ୍‍ବ୍ୟବହାର କରିବାକୁ ହୁଏ । ନଇଲେ ତ ସବୁ ସମ୍ପତ୍ତି ଏକା ନିଃଶ୍ୱାସକୁ ନିଅଣ୍ଟ ! ଏତକ ଟିକିଏ ଭାବୁନା କାହିଁକି ?’’ ଖାଡ଼ଙ୍ଗାଏ ଚୁପ୍‍ମାରି ରହିଲେ । କହିଲେ—‘‘ହଉ, କ’ଣ କରୁଛୁ କର ।’’

 

ସତକୁ ସତ ତହିଁ ଆରଦିନ ରାତି ଘଡ଼ିଏ ହୋଇଛି କି ନାହିଁ ସଭିଏଁ ଖାଇପିଇ ସାରି ଶୋଇବାକୁ ଗଲେ । ସରଭାର ମା ଗୋଟାଏ ଘରେ ଶୋଇଲା । ସରଭା ଆଉ ଅଜା ବୁଢ଼ା ଏକାଠି ଆଉ ଗୋଟିଏ ଘରେ କବାଟ ଦେଇ ଶୋଇଲେ । ସରଭା ମା ଝଟ୍‍କରି ନିଦରେ ଶୋଇପଡ଼ଲା । ଖାଡ଼ଙ୍ଗାଏ କିନ୍ତୁ ସରଭା ସାଙ୍ଗରେ ବାରଆଡ଼ୁ ଗପୁଥାନ୍ତି । ମନେମନେ ସବୁବେଳେ ଚୋରଙ୍କ ଭାବନା । ସରଭାର ହୋଲେ ନା ଡୋଲେ । ହଠାତ୍‍ ସରଭା କ’ଣ ଗୋଟାଏ ଶବ୍ଦ ଶୁଣିଲା । ସତେ ଯେମିତି କେତେଗୁଡ଼ାଏ ଲୋକ ଖଞ୍ଜାଟା ଭିତରକୁ ପଶି ଆସିଲେଣି । ଖାଡ଼ଙ୍ଗାଙ୍କ କାନକୁ ତ ସହଜରେ କିଛି ଶୁଭେ ନାହିଁ । ସରଭା ଶୁଣି ଶୁଣି ବେଶ୍‍ ବୁଝିପାରିଲା, ନିଶ୍ଚେ କିଏ ଚୋର ଆସି ଖଞ୍ଜାରେ ପଶିଲେଣି ।

 

ପିଲା ବକଟକ, କରୁଛି କ’ଣ ! ବୁଢ଼ାକୁ କହିଲେ ତ ବୁଢ଼ାର ଚେତା ବୁଡ଼ିଯିବ । ଏ ଦୁଃଖରୁ ସେ ଦୁଃଖ ବଳିପଡ଼ିବ । ସରଭାର କବାଟ ଖୋଲି ପଦାକୁ ଯାଇ ଦେଖିବାର ଯୁ ନାହିଁ । ପିଲା ମଣିଷ, କେତେବେଳେ କୋଉ କଥା—ଜୀବନମୂର୍ଚ୍ଛା କାମ । ପିଲାଟା ବା କେତେ କାହାକୁ ଡାକିବ ? ହଠାତ୍‍ ଗୋଟାଏ ବୁଦ୍ଧି ପାଞ୍ଚିଲା । ଅଜାକୁ କହିଲା ‘‘ଅଜା, ଆଜି ଇସ୍କୁଲରେ ମାଷ୍ଟରେ ମୋ ନାଁ ଦେଇଛନ୍ତି ‘ଚୋର’ । ଏଣିକି ସଭିଏଁ ମୋତେ ଚୋର ବୋଲି ଡାକିବେ । ତେମେ ମଧ୍ୟ ଆଜିଠୁ ମୋତେ ଚୋର ବୋଲି ଡାକିବ; ନଇଲେ ମୁଁ ଆଉ ଘରେ ରହିବି ନାହିଁ—କୁଆଡ଼କୁ ପଳେଇଯିବି ଏକା ।’’ ଖାଡ଼ଙ୍ଗାଏ ଶୁଣି ତାଟଙ୍ଗା । ଆଉ ଉତ୍ତର ଦେବେ କ’ଣ ? ସରଭାର କଥା ନ ମାନିବାକୁ ବାଟ ନାହିଁ । ସେଦିନ ବାହାଘରର ଏଡ଼େ ବଡ଼ କାରଖାନାଟାକୁ ଓଲଟେଇ ପକେଇଛି । ଶଅକଡ଼ା ଟଙ୍କା ପାଣିରେ ପକେଇ ଦେଇ ନିଶ୍ଚିନ୍ତ । ଆଉ ତା’ କଥା ନ ମାନିଲେ ଗତି ନାହିଁ ?

 

‘‘ଯା ପୁଅକୁ ସାପ କାମୁଡ଼େ

ତା ମା’ ପାଳଦଉଡ଼ି ଦେଖି ଡରେ ।’’

 

ଖାଡ଼ଙ୍ଗାଏ ଝଟ୍‍କରି ହଁ ଭରିଦେଲେ । ତଥାପି ସରଭାର ମନ ବୋଧ ହେଲା ନାହିଁ । କହିଲା, ‘‘ଅଜା, ତେବେ ଆଜିଠାରୁ ତମେ ମତେ ଚୋର ବୋଲି ଡାକିବ । ମୁଁ ତେବେ ଏଇକ୍ଷଣି କବାଟ ଫିଟେଇ ପଦାକୁ ପଳାଉଛି, ‘‘ଚୋର ଚୋର’’ ବୋଲି ଡାକିଲେ ଯାଇ ଫେରିବି, ନଇଲେ ସିଆଡ଼େ ।’’

 

ଖାଡ଼ଙ୍ଗାଏ ଅସ୍ତବ୍ୟସ୍ତ ହୋଇଗଲେ । ରାତିଟାରେ ପିଲାଟା ଏକୁଟିଆ କୁଆଡ଼େ ଯିବ । ଯେତେ ମନା କଲେ ସରଭାର ଏକା ଜିଦ୍‍ । ସବୁଦିନେ ତ ଜିଦଖୋର, ହଠାତ୍‍ ସରଭା ଉଠିପଡ଼ି ଆଲୁଅଟା ଝଟ୍‍କରି ଲିଭେଇ ଦେଲା । କବାଟଟାକୁ ମିଛରେ ଧଡ଼ ଧଡ଼ କରିଦେଇ ଘରକଣରେ ଚୁପ୍‍ମାରି ଲୁଚି ବସିଲା । ରାତି ହେଲେ ଖାଡ଼ଙ୍ଗାଙ୍କ ଆଖିକୁ ତ ମୋଟେ ଦେଖାଯାଏ ନାହିଁ । ସରଭା ବାହାରକୁ ଚାଲିଗଲା ବୋଲି ଖାଡ଼ଙ୍ଗାଙ୍କର ବୁଦ୍ଧି ହଜିଗଲା । ସରଭାର କଥା ମାନି ଖାଡ଼ଙ୍ଗାଏ ‘ଚୋର ଚୋର’ ବୋଲି ଦୁଇ ତିନି ଡାକ ଦେଲେ । ତଥାପି ସରଭାର ଖୋଜ ଖବର ନାହିଁ । ଗାଲେଇ ଦେଇ ଘରକଣରେ ଲୁଚି ବସିଛି । ଖାଡ଼ଙ୍ଗାଏ ଆଉ ସମ୍ଭାଳି ନ ପାରି ଖୁବ୍‍ ବଡ଼ ପାଟି କରି ‘ଚୋର’ ‘ଚୋର’ ଡାକ ଛାଡ଼ିଲେ । ଗାଁଯାକ ହୁରି ପଡ଼ିଗଲା । ସରଭା କଥା କିଏ ପଚାରୁଛି ? ଗାଁଟାଯାକ ଦେଖୁଁ ଦେଖୁଁ ଚହଳ ପଡ଼ିଗଲା । ଚାରିଆଡ଼ୁ ଲୋକେ ଆଲୁଅ, ଠେଙ୍ଗା, ବାଡ଼ି ଧରି ଆସି ଖାଡ଼ଙ୍ଗାଙ୍କ ଘରେ ହାଜର । ଦାଣ୍ଡ କବାଟ ଖୋଲା, ସରଭା ମଧ୍ୟ ମନେମନେ ଖୁସିଟାଏ ହୋଇ ଘର ଭିତରୁ ବାହାରି ପଡ଼ିଲା । ଖାଡ଼ଙ୍ଗାଏ ଡରରେ ଥୁରୁ ଥୁରୁ । ଦେଖ୍‍, ଦେଖ୍‍, ଶୁଣ୍‍, ଶୁଣ୍‍ ଘରେ ପଶିଛନ୍ତି ଚୋର । ଦାଉ ଦେଖି ଚୋରି କରିବାପାଇଁ ଛପି ଜଗି ବସିଛନ୍ତି ।

 

ଚୋର ଧରାଗଲେ; ଗୁଡ଼ାଏ ମାଡ଼ ମଧ୍ୟ ହେଲା—ଖାଡ଼ଙ୍ଗାଙ୍କର ସମ୍ପତ୍ତି ନିଧଡ଼କ । ସରଭା ଠକ୍‍ ଠକ୍‍ କରି ସବୁ କଥାଯାକ କହିଗଲା । ଖାଡ଼ଙ୍ଗାଙ୍କ ଦେହରୁ ଗୋଟାଏ ଝାଳ ବୋହିଗଲା । ସରଭାର ପିଠି ଆଉଁଷି ଦେଇ ସେ କହିଲେ, ‘‘ଧନ୍ୟରେ ତୁ ନାତି, ଧନ୍ୟରେ ତୋର ସେହି ଛୋଟା ଭିକାରି—ଗୁରୁ । ପାଠର ପୁଣି ଏଡ଼େ ମହିମା ?’’

 

ସେହି ଦିନଠୁ ଖାଡ଼ଙ୍ଗାଏ କ’ଣ, ଗାଁର ସଭିଏଁ ପାଠ ପଢ଼େଇବା କଥାଟା ବେଶ୍‍ ବୁଝିପାରିଲେ । କି ପୁଅ, କି ଝୁଅ ସଭିଙ୍କୁ ପାଠ ପଢ଼ିବାକୁ ଚାହାଳିରେ ଛାଡ଼ିଲେ; ଏପରିକି ଚୋର ଡକାୟତମାନେ ମଧ୍ୟ ପିଲାମାନଙ୍କୁ ଚାହାଳିରେ ବସାଇଲେ ।

 

ଛୋଟା ଭିକାରିଟା, ଆଉ ବାପଛେଉଣ୍ଡ ପିଲା ବକଟକ ପାଇଁ ସିନା କେତେ ଲୋକଙ୍କର ଆଖି ଫିଟିଗଲା !

Image